ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ଭାରତର ଉନ୍ନତି

୨ଟି ସ୍ଥାନ ଉପରକୁ ଉଠି ହାସଲ କଲା ଅଷ୍ଟମ ସ୍ଥାନ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଭାରତକୁ ବିଶ୍ୱର ଶୀର୍ଷ ୮ଟି ଦେଶ ମଧ୍ୟରେ ଏବଂ ଜି-୨୦ ଦେଶଗୁଡିକ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ମିଳିଛି। ଜର୍ମାନସ୍ଥିତ ଜର୍ମାନ୍ ୱାଚ୍, ନ୍ୟୁ କ୍ଲାଇମେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଆଣ୍ଡ୍ କ୍ଲାଇମେଟ୍ ଆକ୍ସନ ନେଟ୍‌ୱର୍କ ଇଣ୍ଟରନ୍ୟାସନାଲ୍ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩) ଅନୁସାରେ ଭାରତ ତାଲିକାରେ ୨ଟି ସ୍ଥାନ ଉପରକୁ ଉଠିଛି ଅଷ୍ଟମ ସ୍ଥାନରେ ରହିଛି। ନଭେମ୍ବର ୨୦୨୨ରେ ସିଓପି-୨୭ରେ ଜାରି ସିସିପିଆଇର ନୂତନ ରିପୋର୍ଟରେ କେବଳ ଚାରୋଟି ଛୋଟ ଦେଶ, ଡେନମାର୍କ, ସ୍ୱିଡେନ୍‌, ଚିଲି ଏବଂ ମରକ୍କୋକୁ ଭାରତ ଉପରେ କ୍ରମାନୁସାରେ ୫ମ, ୬ଷ୍ଠ ଏବଂ ୭ମ ସ୍ଥାନ ମିଳିଛି। ଏହି ଅନୁସାରେ ଦେଖିଲେ, ସମସ୍ତ ବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତର ସ୍ଥିତି ସବୁଠାରୁ ଭଲ ରହିଛି।

ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ୱଚ୍ଛତା ବୃଦ୍ଧି କରିବାକୁ ସିସିପିଆଇ ଲକ୍ଷ୍ୟ ରଖିଛି ଏବଂ ଜଳବାୟୁ ସୁରକ୍ଷା ପ୍ରୟାସ ଏବଂ ବିଭିନ୍ନ ଦେଶ ଦ୍ୱାରା କରାଯାଇଥିବା ପ୍ରଗତିର ତୁଳନାକୁ ଏହା ସକ୍ଷମ କରିଥାଏ। ୨୦୦୫ରୁ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ପ୍ରକାଶିତ ହେଉଛି। ୫୯ଟି ଦେଶ ଏବଂ ୟୁରୋପୀୟ ସଂଘର ଜଳବାୟୁ ସୁରକ୍ଷା ପ୍ରଦର୍ଶନ ଉପରେ ନଜର ରଖିବା ପାଇଁ ଏହା ଏକ ନିରପେକ୍ଷ ଅନୁଧ୍ୟାନ ବ୍ୟବସ୍ଥା। ଏହା ପ୍ରତିବର୍ଷ ସିସିପିଆଇ ମୂଲ୍ୟାଙ୍କିତ ଦେଶଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ଏବଂ ରାଜନୈତିକ ବିତର୍କ ଆରମ୍ଭ କରେ। ଏହି ୫୯ଟି ଦେଶର ଜଳବାୟୁ ସୁରକ୍ଷା ପ୍ରଦର୍ଶନ ବିଶ୍ୱର ଗ୍ରୀନ୍‌ହାଉସ୍ ଗ୍ୟାସ୍ (ଜିଏଚ୍‌ଜି) ନିର୍ଗମନର ୯୨%ର ଅଂଶବିଶେଷ, ଯାହାର ମୂଲ୍ୟାଙ୍କନ ଚାରୋଟି ଶ୍ରେଣୀରେ କରାଯାଇଛି: ଜିଏଚ୍‌ଜି ନିର୍ଗମନ (ସାମଗ୍ରିକ ସ୍କୋରର ୪୦%), ନବୀକରଣଯୋଗ୍ୟ ଶକ୍ତି (ସାମଗ୍ରିକ ସ୍କୋରର ୨୦%), ଶକ୍ତି ବ୍ୟବହାର (ସାମଗ୍ରିକ ସ୍କୋରର ୨୦%) ଏବଂ ଜଳବାୟୁ ନୀତି (ସାମଗ୍ରିକ ସ୍କୋରର ୨୦%)।

ଜିଏଚ୍‌ଜି ନିର୍ଗମନ ଏବଂ ଶକ୍ତି ବ୍ୟବହାର ବର୍ଗରେ ଭାରତ ଏକ ଉଚ୍ଚ ମାନ୍ୟତା ପାଇଥିବା ବେଳେ ଜଳବାୟୁ ନୀତି ଏବଂ ନବୀକରଣଯୋଗ୍ୟ ଶକ୍ତି ପାଇଁ ଏକ ମାଧ୍ୟମ ମାନ୍ୟତା ଲାଭକରିଛି। ନବୀକରଣଯୋଗ୍ୟ ଶକ୍ତିର ଦ୍ରୁତ ନିୟୋଜନ ଏବଂ ଶକ୍ତି ଦକ୍ଷତା ପ୍ରୋଗ୍ରାମ ପାଇଁ ଦୃଢ଼ ସଂରଚନା ଦିଗରେ ଭାରତର ନୀତି ଯଥେଷ୍ଟ ପ୍ରଭାବ ପକାଇଛି। ସିସିପିଆଇ ରିପୋର୍ଟ ଅନୁଯାୟୀ, ଭାରତ ଏହାର ୨୦୩୦ ନିର୍ଗମନ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରୁଛି।
କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂହ ଏହା ଉପରେ ଆଲୋକପାତ କରି କହିଛନ୍ତି ଯେ, ଭାରତର ସିସିପିଆଇ ମାନ୍ୟତା ମହାମାରୀ ତଥା କଠିନ ଅର୍ଥନୈତିକ ସମୟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱର ପ୍ରମାଣ ଦେଉଛି। ବିଶ୍ୱ ସ୍ତରରେ ଶ୍ରେଷ୍ଠ ୮ମ ମାନ୍ୟତା ପ୍ରତିଫଳିତ କରୁଛି ଯେ ଭାରତ ନବୀକରଣଯୋଗ୍ୟ ଓ ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମଗୁଡିକ ଦ୍ରୁତ ଗତିରେ କାର୍ଯ୍ୟକାରୀ କରୁଛି।

ସମ୍ବନ୍ଧିତ ଖବର