ଭାରତର ସଂକ୍ରମଣ ବିଶ୍ବ ପାଇଁ ସତର୍କ ଘଣ୍ଟି: ୟୁନିସେଫ୍‌

ମୋଦୀଙ୍କ ପଦକ୍ଷେପକୁ ‘ଲାନ୍‌ସେଟ୍‌’ର ସମାଲୋଚନା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ଭୟାବହ ରହିଛି ଏବଂ ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି ବୋଲି ୟୁନିସେଫ୍‌ (ଜାତିସଂଘ ଶିଶୁ ପାଣ୍ଠି) କହିଛି। ଭାରତରେ ସଂକ୍ରମଣ ଜଙ୍ଗଲର ନିଆଁ ଭଳି ବ୍ୟାପୁଥିବାରୁ ଅନ୍ୟ ସମସ୍ତ ପ୍ରମୁଖ ରାଷ୍ଟ୍ର ଭାରତକୁ ସହାୟତାର ହାତ ବଢ଼ାଇବାକୁ ୟୁନିସେଫ୍‌ କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଟା ଫୋର୍‌ କହିଛନ୍ତି। ଭାରତରେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସଂକ୍ରମଣ ରୋକିବାରେ ସମର୍ଥ ହେଉନାହିଁ ବୋଲି ସେ କହିଛନ୍ତି। ୟୁନିସେଫ୍‌ ନିକଟରେ ଭାରତକୁ କେତେକ ମେଡିକାଲ ସାମଗ୍ରୀ ପଠାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ର ସଂପାଦକୀୟରେ କରୋନା ପରିଚାଳନା ନେଇ ଭାରତ ସରକାରଙ୍କ କାର୍ଯ୍ୟକୁ ‌ତୀବ୍ର ସମାଲୋଚନା କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ପରିଚାଳନା ନେଇ ଭାରତ ଯେଉଁ ସଫଳତା ହାସଲ କରିଥିଲା ତାହାକୁ ପରେ ନଷ୍ଟ କରିଦେଇଛି ବୋଲି ମାଗାଜିନ୍‌‌ ପକ୍ଷରୁ କୁହାଯାଇଛି। ଏପରିକି ଏହି ସଂକଟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଅକ୍ଷମଣୀୟ ବୋଲି ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ ଯଦି ଅଗଷ୍ଟ ପହିଲା ସୁଦ୍ଧା ୧୦ ଲକ୍ଷ କରୋନା ମୃତ୍ୟୁ ଆକଳନ ଠିକ୍ ହୁଏ ତାହେଲେ ମୋଦୀ ସରକାର ଜାତୀୟ ବିପର୍ଯ୍ୟୟର ସାମ୍ନା କରିପାରନ୍ତି ବୋଲି ଲାନ୍‌ସେଟ୍‌ ପକ୍ଷରୁ କୁହାଯାଇଛି।

ସରକାରଙ୍କ ନିର୍ଦ୍ଦେଶ ପରେ ଟ୍ବିଟର ପକ୍ଷରୁ ୫୦ରୁ ଅଧିକ ପୋଷ୍ଟ୍‌କୁ ହଟାଇ ଦିଆଯିବା ସଂପର୍କରେ ଉଲ୍ଲେଖ କରି ଲାନସେଟ୍‌ରେ କୁହାଯାଇଛି ଯେ ମହାମାରୀ ସମୟରେ ସମାଲୋଚନା ଓ ଖୋଲା ଆଲୋଚନାକୁ ଦବାଇ ଦେବା ପାଇଁ ସରକାରଙ୍କଉଦ୍ୟମ ଓ କାର୍ଯ୍ୟ ଅକ୍ଷମଣୀୟ। ସରକାର ତାଙ୍କ ନିଜ ତ୍ରୁଟିକୁ ସ୍ବୀକାର କରିବା ଏବଂ ବୈଜ୍ଞାନିକ ଭିତ୍ତିରେ ଜନସ୍ବାସ୍ଥ୍ୟର ପରିଚାଳନା କରିବା ଉପରେ ଦ୍ବିତୀୟ ଲହର କରୋନା ସଂକ୍ରମଣ ନିୟନ୍ତ୍ରଣର ସଫଳତା ନିର୍ଭରଶୀଳ ବୋଲି ମାଗାଜି‌ନରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ଦ ଇନଷ୍ଟିଚ୍ୟୁଟ୍ ଫର୍ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ୍‌ ଇଭାଲ୍ୟୁଏସନ ପକ୍ଷରୁ ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର