ଆମ ତେଲ କିଣାକୁ ନେଇ ରାଜନୀତି କରନି : ପାଶ୍ଚାତ୍ୟ ଦେଶଙ୍କୁ ଭାରତର ରୋକଠୋକ୍ ଜବାବ

ନୂଆଦିଲ୍ଲୀ : ରୁଷଠାରୁ ଭାରତ ତେଲ କିଣିବାକୁ ନେଇ କେତେକ ଦେଶ ସମାଲୋଚନା କରୁଥିବାରୁ ଭାରତ ସରକାର ତାହାର କଡ଼ା ଜବାବ ଦେଇଛନ୍ତି । ଯେଉଁ ଦେଶମାନେ ତୈଳ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ସେମାନେ ଭାରତର ତେଲ କିଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି ଭାରତ କହିଛି ।

ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଯେଉଁ ଦେଶମାନେ ତୈଳ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କିମ୍ବା ନିଜେ ରୁଷରୁ ଆମଦାନୀ କରିଚାଲିଛନ୍ତି, ସେମାନେ ତେଲ କିଣାବିକାରେ କଟକଣା କଥା କହିବା ଉଚିତ ନୁହେଁ । ରୁଷ ଉପରେ ଲଗାଯାଇଥିବା କଟକଣାରୁ ତେଲକୁ ମୁକ୍ତ ରଖାଯାଇଛି । କିନ୍ତୁ ତେଲ କିଣାରେ ପେମେଣ୍ଟ୍ ପାଇଁ ବ୍ୟବହାର  ହେଉଥିବା ରୁଷୀୟ ବ୍ୟାଙ୍କଗୁଡ଼ିକୁ ସ୍ବିଫ୍ଟ ବ୍ୟବସ୍ଥାରୁ ବାହାରେ ରଖାଯାଇନାହିଁ ।

ରୁଷରୁ ରପ୍ତାନି ହେଉଥିବା ୭୫ ପ୍ରତିଶତ ପ୍ରାକୃତିକ ଗ୍ୟାସ ୟୁରୋପୀୟ ଦେଶମାନେ କିଣୁଛନ୍ତି । ପୁଣି ନେଦରଲାଣ୍ଡସ, ଇଟାଲି, ପୋଲାଣ୍ଡ,ଫିନଲାଣ୍ଡ, ରୋମାନିଆ, ଲିଥୁନିଆ ଆଦି ୟୁରୋପୀୟ ଦେଶ ରୁଷର ପ୍ରଚୁର ପରିମାଣରେ ତେଲ କିଣନ୍ତି ।

ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଭାରତର ଶକ୍ତି ନିରାପତ୍ତା ପାଇଁ ବିପଦ ସୃଷ୍ଟି କରିଛି । ଇରାନ ଓ ଭେନିଜୁଏଲାରୁ ତେଲ କିଣିବା ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏହି ସଂକଟ ଗଭୀର ହୋଇଛି । ତୈଳର ବିକଳ୍ପ ଉତ୍ସଗୁଡ଼ିକ ମହଙ୍ଗା ପଡ଼ୁଛି ।

 

ସମ୍ବନ୍ଧିତ ଖବର