ଭାରତୀୟଙ୍କ ହାରାହାରି ଆୟୁଷ ୭୦.୮ ବର୍ଷକୁ ବୃଦ୍ଧି : ଲାନସେଟ୍‌

ନୂଆଦିଲ୍ଲୀ : ଗତ ୩୦ ବର୍ଷ ମଧ୍ୟରେ ଭାରତର ହାରାହାରି ଆୟୁଷ ପ୍ରାୟ ୧୦ ବର୍ଷ ବୃଦ୍ଧି ପାଇଛି । ୧୯୯୦ରେ ଭାରତୀୟଙ୍କ ହାରାହାରି ଆୟୁଷ ୫୯.୬ ବର୍ଷ ଥିବାବେଳେ ୨୦୧୯ ବେଳକୁ ତାହା ୭୦.୮ ବର୍ଷକୁ ବୃଦ୍ଧି ପାଇଛି ବୋଲି ବିଶ୍ୱର ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପତ୍ରିକା ଦି ଲାନସେଟ୍‌ ପକ୍ଷରୁ କୁହାଯାଇଛି ।
ତେବେ ଭାରତର ରାଜ୍ୟ ଭିତ୍ତିରେ ହାରାହାରି ଆୟୁଷରେ ତାରତମ୍ୟ ରହିଛି । କେରଳରେ ହାରାହାରି ଆୟୁଷ ସର୍ବାଧିକ ୭୭.୩ ବର୍ଷ ଥିବାବେଳେ ଉତ୍ତରପ୍ରଦେଶରେ ହାରାହାରି ଆୟୁଷ ୬୬.୯ ବର୍ଷ ରହିଛି ।

ତେବେ ଭାରତୀୟ ଜନସ୍ୱାସ୍ଥ୍ୟ ସଂସ୍ଥାନର ବିଶେଷଜ୍ଞ ଶ୍ରୀନିବାସ ଗୋଲି କହିଛନ୍ତି ଯେ ଭାରତୀୟଙ୍କ ହାରାହାରି ଆୟୁଷ ବଢିଥିଲେ ମଧ୍ୟ ଖରାପ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପରିବେଶ ଯୋଗୁଁ ଅନେକ ଲୋକ ନିଜର ପରିଣତ ବୟସରେ ରୋଗବ୍ୟାଧି ସହ ଜୀବନ କାଟୁଛନ୍ତି ।

ବିଶ୍ୱର ୨୦୦ଟି ଦେଶରେ ୨୮୬ ପ୍ରକାରର ମୃତ୍ୟୁ, ୩୬୯ଟି ରୋଗ ଉପରେ ଗବେଷଣା କରି ଏକ ଅନ୍ତର୍ଜାତୀୟ ଗବେଷକ ଦଳ ଏହି ସଂଦର୍ଭ ପ୍ରକାଶ କରିଛନ୍ତି । ଭାରତରେ ପ୍ରଦୂଷଣ, ତମ୍ବାଖୁ ସେବନ ଆଦି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ୨୦୧୯ରେ ଭାରତରେ ପ୍ରଦୂଷଣରେ ୧.୬୭ ନିୟୁତ ମୃତ୍ୟୁ, ଉଚ୍ଚରକ୍ତଚାପରେ ୧.୪୭ ନିୟୁତ ମୃତ୍ୟୁ ଓ ତମ୍ବାଖୁ ଜନିତ ରୋଗରେ ୧.୨୩ ନିୟୁତ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର