ବ୍ରହ୍ମପୁତ୍ର ନଦୀରେ ଅକ୍ଟୋବର ସୁଦ୍ଧା ଖୋଲିବ ଭାରତର ଦୀର୍ଘତମ ରେଳ ପୋଲ

ନୂଆଦିଲ୍ଲୀ: ଏ ବର୍ଷ ଅକ୍ଟୋବର ସୁଦ୍ଧା ଡିବ୍ରୁଗଡ଼ ପଟେ ଥିବା ବ୍ରହ୍ମପୁତ୍ର ନଦୀର ଦକ୍ଷିଣ କୂଳ ଏବଂ ଦେହାମଜି ଠାରେ ଥିବା ଉତ୍ତର କୂଳକୁ ସଂଯୋଗ କରିବାକୁ ଯାଉଛି ଭାରତର ଦୀର୍ଘତମ ରେଳ ଓ ରାସ୍ତା ପୋଲ ‘ବୋଗିବୀଲ୍‌ ସେତୁ’। ଏଥିଯୋଗୁଁ ଚୀନ୍‌ ସୀମାନ୍ତକୁ ପ୍ରତିରକ୍ଷା ସାମଗ୍ରୀ ପରିବହନ, ରେଳ ଓ ସଡ଼କ ଯାତ୍ରୀମାନଙ୍କ ପାଇଁ ଯାତ୍ରାକାଳୀନ ସମୟ ହ୍ରାସ ପାଇବ।

୪. ୯ କିଲୋମିଟର୍‌ ଦୀର୍ଘ ସେତୁଟି ଅନେକ ଥର ନିର୍ଦ୍ଧାରିତ ଶେଷ ତାରିଖ ହରାଇଲାଣି। ରେଳବାଇ କହିଛି ଯେ ଜୁଲାଇ ୨୦୧୮ ସୁଦ୍ଧା ବୋଗିବୀଲ୍‌ ସେତୁର ସିଭିଲ୍‌, ଇଲେକ୍ଟ୍ରିକାଲ୍‌ ଏବଂ ସିଗ୍‌ନାଲିଙ୍ଗ୍‌ ଆଦି କାର୍ଯ୍ୟ ଶେଷ ହେବ।

ଏହି ଦୁଇ ଥାକିଆ ପୋଲର ଉପରେ ରହିଛି ତିନି ଧାଡ଼ିଆ ରାସ୍ତା ଏବଂ ତଳେ ଦୁଇ ଧାଡ଼ିଆ ରେଳ ରାସ୍ତା।

ଅଗଷ୍ଟ ମାସରେ ରେଳବାଇ ନିରାପତ୍ତା କମିସନର୍‌ ଯାଞ୍ଚ କରି ଅନୁମୋଦନ କଲେ ପୋଲ ଉପରେ ଯାନବାହନ ଚଳାଚଳ ଆରମ୍ଭ କରିବ। ନଈରେ ଡଙ୍ଗା ନେଇ ଏ ପାରିରୁ ସେପାରିକୁ ଘଣ୍ଟାଏ ଲାଗୁଥିବା ବେଳେ ଏବେ ପୋଲରେ ଗଲେ ଲାଗିବ ୫ ମିନିଟ୍‌।

ଏହାଦ୍ୱାରା ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଯିବା ଆସିବା ସମୟ ଅନ୍ୟୂନ ତିନି ଘଣ୍ଟା କମିଯିବ। ଦିଲ୍ଲୀ ଓ ଡିବ୍ରୁଗଡ଼ ମଧ୍ୟରେ ବି ଦୂରତା ୧୫୦ କିଲୋମିଟର୍‌ କମିଯିବ। ଅବଶ୍ୟ ଏଥିପାଇଁ ଯେଉଁ ରେଳପଥ ଅଛି ତାହା ପରିବର୍ତ୍ତନ କରାଯିବ କି, ନୂତନ ରେଳପଥ ନିର୍ମାଣ କରାଯିବ, ତାହା ସ୍ଥିର ହୋଇ ନାହିଁ।

ତାରିଖ ଧାର୍ଯ୍ୟ ହୋଇଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର