ମନମୋହନଙ୍କଠାରୁ ମୋଦୀଙ୍କ ପର୍ଯ୍ୟନ୍ତ, ୧୦ ବର୍ଷ ହେଲା ପୂରଣ ହୋଇନି ଭାରତର ସାମରିକ ଆବଶ୍ୟକତା

ନୂଆଦିଲ୍ଲୀ: ଭାରତୀୟ ସେନାର ଆଧୁନିକୀକରଣ ପାଇଁ ଆବଶ୍ୟକ ବ୍ୟୟ ବରାଦ ଏବଂ କେନ୍ଦ୍ର ବଜେଟ୍‌ରେ ଏଥିଲାଗି ମିଳୁଥିବା ଅନୁଦାନ ଭିତରେ ଦିନକୁ ଦିନ ଫରକ ବଢ଼ିବାରେ ଲାଗିଛି। ଏହି ବ୍ୟବଧାନ ଏତେ ବଢ଼ିଯାଇଛି ଯେ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସେନା ପାଇଁ ଧାର୍ଯ୍ୟ କରିଥିବା ବ୍ୟୟ ଅଟକଳ ସାତବର୍ଷ ତଳେ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ସେନା ଲୋଡ଼ିଥିବା ବ୍ୟୟବରାଦ ସହ ସମାନ ହୋଇଛି। ଏହାଦ୍ବାରା ଆଧୁନିକୀକରଣ ପାଇଁ ଆସୁଥିବା ଅର୍ଥର ସିଂହଭାଗ ସେନାର ଧାର୍ଯ୍ୟ ପ୍ରତିବଦ୍ଧତା ଦିଗରେ ଖର୍ଚ୍ଚ ହେଉଛି। ଫଳରେ ଅନେକ ପ୍ରକଳ୍ପ ମଧ୍ୟ ଆରମ୍ଭ ହେବାରେ ବିଳମ୍ବିତ ହୋଇଚାଲିଛି।

ଗତ ସୋମବାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଉତ୍‌ଥାପିତ ତଥ୍ୟାନୁଯାୟୀ, ୨୦୧୪-୧୫ ଆର୍ଥିକ ବର୍ଷରେ ସେନାବାହିନୀ ବିଭିନ୍ନ ପ୍ରକଳ୍ପ ପାଇଁ ୧,୩୨,୫୯୭.୬୯ କୋଟି ଟଙ୍କା ଲୋଡ଼ିଥିଲା। ତେବେ ସେହିବର୍ଷ ସରକାର କେବଳ ୮୪,୦୭୬.୯୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷ ପାଇଁ ୧,୯୯,୫୫୩.୪୪ କୋଟି ଟଙ୍କାର ଅଟକଳ ସେନା ପକ୍ଷରୁ ଦିଆଯାଇଥିବା ବେଳେ ସରକାର ୧,୨୩,୦୦୦.୨୨ କୋଟି ଟଙ୍କା ବରାଦ କରିଛନ୍ତି ଯାହାକି ୨୦୧୪ରେ ସେନା ଲୋଡ଼ିଥିବା ଅଟକଳ ଠାରୁ କମ୍‌ ରହିଛି। ଚଳିତ ବର୍ଷ ପାଇଁ ନୌସେନା ୭୦,୯୨୦.୭୮ କୋଟି ଟଙ୍କାର ବ୍ୟୟ ଅଟକଳ ଲୋଡ଼ିଥିବା ବେଳେ ମାତ୍ର ମିଳିଛି ୩୩,୨୫୩.୫୫ କୋଟି ଯାହା କି ଅଧାରୁ ମଧ୍ୟ କମ୍‌। ସେହିପରି ସ୍ଥଳସେନା ଓ ବାୟୁସେନା ଯଥାକ୍ରମେ ୫୧,୪୯୨ କୋଟି ଓ ୭୭,୧୦୦ କୋଟି ପାଇବାକୁ ଆଶା ରଖିଥିବା ବେଳେ ସେମାନଙ୍କୁ ୩୬,୫୩୧ କୋଟି ଓ ୫୩,୨୧୪.୭୭ କୋଟି ଟଙ୍କା ମିଳିଛି। ପ୍ରତିରକ୍ଷା ବଜେଟ୍‌କୁ ନେଇ ଏଭଳି ସ୍ଥିତିରେ ମୋଦୀ ହୁଅନ୍ତୁ ବା ଡ. ମନମୋହନ ସିଂହ ହୁଅନ୍ତୁ, କାହା ଅମଳରେ ବି ସେନାବାହିନୀ ନିଜ ଚାହିଦା ପୂରଣ କରିବାକୁ ସମର୍ଥ ହୋଇନାହିଁ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର