ନୂଆଦିଲ୍ଲୀ: ପୂର୍ବ ଲଦାଖ୍ର ଗଲ୍ୱାନ ଘାଟିରେ ଚୀନ୍ ସୈନିକଙ୍କ ବିଶ୍ବାସଘାତ ଏବଂ ବର୍ବର ଆକ୍ରମଣ ପରେ ଭାରତ ଏବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଏସି)ରେ ସାମରିକ ନିୟମ ତଥା ସୀମା ପରିଚାଳନା ରଣନୀତିକୁ ବଦଳାଇ ଦେଇଛି। ନୂଆ ନିୟମ ଅନୁସାରେ ଭାରତୀୟ ସେନା ଏଣିକି ଚୀନ୍ ସେନାର ଯେ କୌଣସି ଅତିକ୍ରମଣକୁ ଦୃଢ଼ ହସ୍ତରେ ତତ୍କାଳ ଦମନ କରିବ ଏବଂ ଏଥିପାଇଁ ଅସ୍ତ୍ର ବ୍ୟବହାର ମଧ୍ୟ କରିବ। ସୀମା ସ୍ଥିତି ସୁଦୃଢ଼ କରିବାକୁ ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସ୍ବାଧୀନତା ଦିଆଯାଇଛି। ଆବଶ୍ୟକସ୍ଥଳେ ଭାରତୀୟ ସେନା ନିଜର ସୁରକ୍ଷା ପାଇଁ ଯେ କୌଣସି ଅସ୍ତ୍ର ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ମିଳିଛି। ସୀମାରେ ସେନାକୁ ଏଭଳି ସ୍ବାଧୀନତା ଭାରତର ସାମରିକ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି।
ସେନାକୁ ମିଳିଲା ଅଧିକ ଆର୍ଥିକ କ୍ଷମତା: ୫୦୦ କୋଟି ଟଙ୍କାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣାଯିବ
ନୂଆଦିଲ୍ଲୀ: ପୂର୍ବ ଲଦାଖ୍ରେ ଚୀନ୍ ସେନା ସହିତ ଜାରି ଉତ୍ତେଜନା ଭିତରେ କେନ୍ଦ୍ର ସରକାର ଆଜି ୩ ସେନା ପାଇଁ ୫୦୦ କୋଟି ଟଙ୍କାର ଅତ୍ୟାଧୁନିକ ଅସ୍ତ୍ର କ୍ରୟ ନିମନ୍ତେ ମଂଜୁରି ଦେଇଛନ୍ତି। ସେନା ଏହି ଅର୍ଥ ସଂପୂର୍ଣ୍ଣ ଭାବେ ନିଜସ୍ବ ନିଷ୍ପତ୍ତିରେ ବ୍ୟୟ କରିବ। ଜରୁରୀ ପାଣ୍ଠିକୁ ମଂଜୁରି ମିଳିଥିବାରୁ ସେନା ତୁରନ୍ତ ଏହି ଅର୍ଥରେ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଏବଂ ଗୋଳା ବାରୁଦ କ୍ରୟ କରିପାରିବ। ସୀମାରେ ଚୀନ୍ର ଆକ୍ରମଣାତ୍ମକ ଭୂମିକା ପରିପ୍ରେକ୍ଷୀରେ ସରକାରଙ୍କ ଏଭଳି ମଂଜୁରି ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଏଲଏସିରେ ଚୀନ୍ ପଟୁ ସାମାନ୍ୟ ଅତିକ୍ରମଣକୁ ତତ୍କାଳ ଦମନ ପାଇଁ ଅନୁମତି ମିଳିଥିବାରୁ ସେନା ଏଣକି ପରିସ୍ଥିତିକୁ ଦେଖି ଚୀନ୍ ସେନା ବିରୋଧରେ ଅସ୍ତ୍ର ବ୍ୟବହାର କରିବ।
ଏବେ ଭାରତ-ଚୀନ୍ ସୀମାରେ ମୁତୟନ ହୋଇଥିବା କମାଣ୍ଡିଂ ଅଫିସର୍ମାନେ ସ୍ଥିତି ସମ୍ଭାଳିବା ପାଇଁ ଯବାନଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିପାରିବେ। ନିକଟରେ ଚୀନ୍ ସେନାର ଅତିକ୍ରମଣକୁ ରୋକିବାକୁ ପ୍ରୟାସରେ ଭାରତର ୨୦ ଯବାନଙ୍କ ମୃତ୍ୟୁ ପରେ ସରକାର ଏହି ବଡ଼ ପରିବର୍ତ୍ତନ ଆଣିଛନ୍ତି। ପୂର୍ବ ଚୁକ୍ତି ଅନୁଯାୟୀ ଅସ୍ତ୍ର ବ୍ୟବହାର ହେବନାହିଁ ବୋଲି ଯେଉଁ ବ୍ୟବସ୍ଥା ଥିଲା ତାହା ଆଉ ଲାଗୁ ହେବନାହିଁ। ସୈନିକମାନେ ପରିସ୍ଥିତିକୁ ଦେଖି ଯେ କୌଣସି ଅସ୍ତ୍ର ବ୍ୟବହାର କରିପାରିବେ ବୋଲି ସରକାରଙ୍କ ନିର୍ଦ୍ଦେଶ ପରେ ଏ ବାବଦ ସମସ୍ତ ପୂର୍ବ ଚୁକ୍ତି ଅକାମୀ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାୱତ ଏବଂ ତିନି ସେନା ମୁଖ୍ୟଙ୍କ ସହିତ ଲଦାଖ୍ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଚୀନ୍ ସେନା ଲଦାଖ୍ରେ ବାରମ୍ବାର ଏଲଏସି ଅତିକ୍ରମଣ ପାଇଁ ପ୍ରୟାସ କରୁଥିବାରୁ ଏବେ ସାମରିକ ନୀତି ବଦଳାଇ ଦିଆଯାଇଛି ଏବଂ ସେନା ପ୍ରତିଟି ଅତିକ୍ରମଣକୁ ଦମନ କରିବାକୁ ଅତି କଠୋର ପଦକ୍ଷେପ ଗ୍ରହଣ କରିବ। ଚୀନ୍ ସହ ସ୍ଥଳ ସୀମା, ବାୟୁ ସୀମା ଏବଂ ରଣନୀତିକ ସମୁଦ୍ର ରାସ୍ତାରେ ଚୀନ୍ର ଗତିବିଧି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୀନ୍ ସହ ୩୫୦୦ କିମି ସୀମାରେ ମୁତୟନ ଭାରତୀୟ ଯବାନ ଏଣିକି ନୂଆ ସାମରିକ ନୀତି ଅନୁଯାୟୀ ପଦକ୍ଷେପ ନେବେ।