ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ  ଆଜିଠାରୁ ଦେଶର ଅନେକ ରାଜ୍ୟରେ ମକ୍ ଡ୍ରିଲ୍ ଆରମ୍ଭ ହୋଇଛି। ଦିଲ୍ଲୀ ଓ ପାଟନାଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ଲାକ୍ଆଉଟ୍ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଦେଶର ୨୪୪ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯାଇଛି। ଏହି ଅପରେସନ୍‌ର ନାମ ‘ଅପରେସନ୍‌ ଅଭ୍ୟାସ’ ରଖାଯାଇଛି। 

Advertisment

ମକ୍ ଡ୍ରିଲ୍ ସମୟରେ ଅନେକ ସ୍ଥାନରେ ସାଇରନ୍‌ ଶୁଣିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ବିହାର, ଆନ୍ଧ୍ରପ୍ରଦେଶ ଭଳି ଅନେକ ରାଜ୍ୟରେ ଏହି ଅଭ୍ୟାସ ବ୍ୟାପକ କରାଯାଉଛି। ଏହି ରାଜ୍ୟଗୁଡ଼ିକ ବ୍ୟତୀତ ଆସାମର ୧୪ଟି ଜିଲ୍ଲା, ଓଡ଼ିଶାର ୧୨ଟି ଜିଲ୍ଲା, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ମିଜୋରାମର ଆଇଜଲରେ ମକ୍ ଡ୍ରିଲ୍ କରାଯାଇଥିଲା। ଏହି ସମୟ ମଧ୍ୟରେ ଏୟାର୍ ଷ୍ଟ୍ରାଇକ୍, ଅଗ୍ନିଶମ ଜରୁରିକାଳୀନ ପରିସ୍ଥିତି, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଭଳି ଅନେକ ପରିସ୍ଥିତିର ଆକଳନ କରାଯାଇଥିଲା। ହରିୟାଣାର ୧୧ଟି ଜିଲ୍ଲାରେ ବି ଏହି ମକ୍ ଡ୍ରିଲ୍ କରାଯାଇଥିଲା। ରାଜ୍ୟର ଗୁରୁଗ୍ରାମ, ପଞ୍ଚକୁଲା, ଅମ୍ବାଲା, ଓ ରୋହତକର ବ୍ୟସ୍ତବହୁଳ ସପିଂ ମଲ୍, ବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଏହି ଅଭ୍ୟାସ କରାଯାଇଥିଲା। 

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ଓ ଦକ୍ଷିଣ ମୁମ୍ବାଇର କ୍ରସ୍ ମୈଦାନରେ ଏହି ଡ୍ରିଲ୍ କରାଯାଇଥିଲା। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ରେ ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପ୍ରାୟ ଏକଘଣ୍ଟା ଧରି ଚାଲିଥିଲା। ଅପରାହ୍ଣ ୪ଟାରେ ଦକ୍ଷିଣ ମୁମ୍ବାଇର କ୍ରସ୍ ମୈଦାନରେ ସାଇରନ୍‌ ବାଜିବା ପରେ ବେସାମରିକ ସୁରକ୍ଷା, ଅଗ୍ନିଶମ ବାହିନୀ ଓ ଡାକ୍ତରଙ୍କ ଟିମ୍ ଏକ ମକ୍ ଡ୍ରିଲ୍‌ରେ ଏୟାର୍ ଷ୍ଟ୍ରାଇକ୍ ସମ‌ୟରେ ଆହତଙ୍କ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ। ସେହିପରି କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଅପରେସନ ଅଭ୍ୟାସ ଅଧୀନରେ ବଡ଼ ଧରଣର ମକ୍ ଡ୍ରିଲ୍ କରାଯାଇଥିଲା।

ସାଇରନ୍‌ ବାଜିବା ପରେ ବେସାମରିକ ସୁରକ୍ଷା କର୍ମୀ, ପୁଲିସ, ଅଗ୍ନିଶମ ଓ ଜରୁରିକାଳୀନ ସେବା କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ହାଇଦ୍ରାବାଦର ୪ଟି ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା। ସିକନ୍ଦରାବାଦ, ଗୋଲକୁଣ୍ଡା, କାଞ୍ଚନବାଗ ଓ ନଚରମ ଏନ୍‌ଏଫ୍‌ସି ଅଞ୍ଚଳରେ ଏହି ଅଭ୍ୟାସ କରାଯାଇଥିଲା। ସାଇରନ୍‌ ବାଜିଲେ ନାଗରିକମାନଙ୍କୁ ଘର ଭିତରେ ରହିବା, ଆଶ୍ରୟ ନେବା ଓ ଲୁଚି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ତାମିଲନାଡ଼ୁର ଦୁଇଟି ପ୍ରମୁଖ ପ୍ରତିଷ୍ଠାନରେ ମକ୍ ଡ୍ରିଲ୍ କରାଯାଇଥିଲା। କଳ୍ପକମ୍‌ସ୍ଥିତ ମାଡ୍ରାସ ଆଣବିକ ଶକ୍ତି କେନ୍ଦ୍ର ଓ ଚେନ୍ନାଇ ବନ୍ଦରରେ ଏହି ଅଭ୍ୟାସ କରାଯାଇଥିଲା।