ଗାନ୍ଧୀନଗର: ମୋଦୀ ସରକାରଙ୍କ ତୃତୀୟ ପାଳିର ୧୦୦ ଦିନ ଆଜି ପୂରଣ ହୋଇଛି। ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ତାଙ୍କ ସରକାର ଦେଶର ଦ୍ରୁତ ପ୍ରଗତି ପାଇଁ ପ୍ରତ୍ୟେକ କ୍ଷେତ୍ର ଓ କାରକକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି। ଗାନ୍ଧୀନଗରରେ ଗ୍ଲୋବାଲ ରିନ୍ୟୁଏବଲ ଏନର୍ଜି ଇନଭେଷ୍ଟର୍ସ ମିଟ୍ ଆଣ୍ଡ୍ ଏକ୍ସପୋ (ରି-ଇନ୍‌ଭେଷ୍ଟ ୨୦୨୪)ର ଚତୁର୍ଥ ସଂସ୍କରଣକୁ ସମ୍ବୋଧିତ କରି ସେ କହିଛନ୍ତି, କେବଳ ଭାରତୀୟ ନୁହନ୍ତି ସମଗ୍ର ବିଶ୍ୱ ଅନୁଭବ କରୁଛି ଯେ ଭାରତ ଏକବିଂଶ ଶତାବ୍ଦୀ ପାଇଁ ସର୍ବୋତ୍ତମ ସମ୍ଭାବନାମୟ ଦେଶ। 

Advertisment

କେନ୍ଦ୍ର ସରକାରଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ଆପଣ ଆମର ପ୍ରାଥମିକତା, ଗତି ଓ ବ୍ୟାପକତା ଦେଖିପାରିବେ। ଦେଶର ଦ୍ରୁତ ପ୍ରଗତି ପାଇଁ ଆବଶ୍ୟକ ସମସ୍ତ କ୍ଷେତ୍ର ଓ କାରକକୁ ଆମେ ସମାଧାନ କରିବାକୁ ଚେଷ୍ଟା କରିଛୁ। ଭାରତର ବିବିଧତା, ବ୍ୟାପକତା, କ୍ଷମତା, ସାମର୍ଥ୍ୟ ଓ ପ୍ରଦର୍ଶନ ଅନନ୍ୟ। ସେଥିପାଇଁ ଭାରତୀୟ ସମାଧାନ ବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଉପଯୁକ୍ତ। ଆଗାମୀ ୧୦ ବର୍ଷ ପାଇଁ ଭାରତ ବିକାଶର ଭିତ୍ତିଭୂମି ପ୍ରସ୍ତୁତ କରୁଛି ଏବଂ କେବଳ ଶୀର୍ଷରେ ପହଞ୍ଚିବା ନୁହେଁ ବରଂ ସେହି ସ୍ଥାନକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମୋଦୀ କହିଛନ୍ତି। ଆମ ପାଇଁ ସବୁଜ ଭବିଷ୍ୟତ ଓ ନେଟ୍ ଜିରୋ କେବଳ କୌତୁକପ୍ରଦ ଶବ୍ଦ ନୁହେଁ। ଏହା ଦେଶର ଆବଶ୍ୟକତା ଏବଂ ଏହାକୁ ହାସଲ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଅଯୋଧ୍ୟା ଓ ଅନ୍ୟ ୧୬ଟି ସହରକୁ ମଡେଲ ସୋଲାର ସିଟି ଭାବେ ବିକଶିତ କରିବା ପାଇଁ ସରକାର କାମ କରୁଛନ୍ତି ବୋଲି ସେ ରି-ଇନ୍‌ଭେଷ୍ଟ ୨୦୨୪ରେ କହିଛନ୍ତି। ସେ କହିଛନ୍ତି ଯେ ୧୪୦ କୋଟି ଭାରତୀୟ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ। 

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ମୋଦୀ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟକୁ ସମାଲୋଚନା କରିଛି। ବିରୋଧୀ ଦଳଙ୍କ ଚାପରେ ସରକାର ଅନେକ ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇଛନ୍ତି। ଲାଟେରାଲ ଏଣ୍ଟ୍ରି, ଓପିଏସ୍‌ ଏବଂ ୱକଫ୍‌ ବିଲ୍‌ ପ୍ରସଙ୍ଗରେ ମୋଦୀ ସରକାର ୟୁ-ଟର୍ଣ୍ଣ ନେଇଛନ୍ତି ବୋଲି କଂଗ୍ରେସ ପ୍ରବକ୍ତା ସୁପ୍ରିୟା ‌ଶ୍ରୀନେତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମୋଦୀ ସରକାରଙ୍କ ଔଦ୍ଧତ୍ୟ ଆଉ କାମ କରିବ ନାହିଁ। ଲୋକଙ୍କୁ ପ୍ରଭାବିତ କରିବା ଭଳି ଭୁଲ ନିଷ୍ପତ୍ତି ଯଦି ସରକାର ନେବେ ତାହେଲେ ୟୁ-ଟର୍ଣ୍ଣ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ନେହରୁଙ୍କ ପରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ଲାଗି ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେଇଛନ୍ତି। ଜୁନ ୯ରେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।