ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯାଇଛି। ମାତ୍ର ୧୦ ଦିନ ମଧ୍ୟରେ କରୋନା ସଂକ୍ରମଣ ମାମଲା ଦେଶରେ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ପାଇଛି। ଧୀରେ ଧୀରେ ମାମଲା ଦ୍ବିଗୁଣିତ ହେବାପାଇଁ ଖୁବ୍ କମ୍ ସମୟ ଲାଗୁଛି। । ମାତ୍ର ୪ ଦିନରେ ଦେଶରେ କରୋନା ସଂକ୍ରମଣ ୬ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ପାଇଛି। ଗତ ୫ ଦିନ ମଧ୍ୟରେ ଦେଶରେ ଲଗାତାର ହାରାହାରି ପ୍ରାୟ ୨୩ ହଜାର ୩୪୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଦେଶରେ ମୃତ୍ୟୁସଂଖ୍ୟା ୧ରୁ ୫ ହଜାର ହେବାପାଇଁ ୭୯ ଦିନ ଲାଗିଥିଲା। ତେବେ ଏହାପରେ ମୃତ୍ୟୁସଂଖ୍ୟା ୫ ହଜାରରୁ ୧୦ ହଜାର ହେବାପାଇଁ ୧୭ ଦିନ ଲାଗିଛି। ୧୦ରୁ ୧୫ ହଜାର ହେବାପାଇଁ ୯ ଦିନ ଏବଂ ୧୫ରୁ ୨୦ ହଜାର ହେବାପାଇଁ ମାତ୍ର ୧୧ ଦିନ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨ ହଜାର ୨୫୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୪୬୭ ଜଣଙ୍କ ମୃତ୍ୟୁ ହୋଇଛି।
ମୋଟ୍ ସଂକ୍ରମଣ ମାମଲା ଦେଶରେ ୭ ଲକ୍ଷ ୧୯ ହଜାର ୬୬୫ରେ ପହଞ୍ଚିଛି ଏବଂ ୨୦ ହଜାର ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୪ ଲକ୍ଷ ୩୯ ହଜାର ୯୪୮ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ଦେଶରେ ସକ୍ରିୟ ମାମଲା ୨ ଲକ୍ଷ ୫୯ ହଜାର ୫୫୭ ରହିଛି। ମହାରାଷ୍ଟ୍ରରେ ସ୍ଥିତି ଜଟିଳ ରହିଛି। ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୨ ଲକ୍ଷ ୧୧ ହଜାର ୯୮୭ ରହିଛି। ଏଥି ମଧ୍ୟରୁ ୮୭ ହଜାର ୬୯୯ ସକ୍ରିୟ ମାମଲା ଥିବାବେଳେ ୧ଲକ୍ଷ ୧୧ ହଜାର ୨୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ୯ ହଜାର ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ମୁମ୍ବାଇରେ ମହାମାରୀ ଆରମ୍ଭ ହେବାଠାରୁ ଏଯାବତ୍ ୧୫ ଲକ୍ଷରୁ ଅଧିକ ଲୋକ କ୍ବାରାଣ୍ଟିନ୍ରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୩.୨୮ ଲକ୍ଷ ଲୋକ ସେମାନଙ୍କ ୧୪ ଦିନ ହୋମ୍ କ୍ବାରାଣ୍ଟିନ୍ ଶେଷ କରିଥିବାବେଳେ ୨.୪୬ ଲକ୍ଷ ଏବେ ହୋମ୍ କ୍ବାରାଣ୍ଟିନ୍ରେ ଅଛନ୍ତି ଏବଂ ୧୪ ହଜାର ୨୮୮ ଜଣ ଆନୁଷ୍ଠାନିକ ଭାବେ କ୍ବାରାଣ୍ଟିନ୍ ସେଣ୍ଟରରେ ରହିଛନ୍ତି। ତାମିଲନାଡ଼ୁରେ ମୋଟ୍ ୧ ଲକ୍ଷ ୧୪ ହଜାର ୯୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଦିଲ୍ଲୀରେ ସଂକ୍ରମଣ ମାମଲା ୧ ଲକ୍ଷ ୮୨୩ରେ ପହଞ୍ଚିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨ ଲକ୍ଷ ୪୧ ହଜାର ୪୩୦ ନମୁନା ପରୀକ୍ଷା ହୋଇଛି। ଆଜିସୁଦ୍ଧା ମୋଟ୍ ୧ କୋଟି ୨ଲକ୍ଷ ୧୧ହଜାର ୯୨ ନମୁନା ପରୀକ୍ଷା ହୋଇଛି।
ଦେଶରେ ନୂଆ ହଟ୍ସ୍ପଟ୍ ହେବାକୁ ଯାଉଛି ଓଡ଼ିଶା, ପଶ୍ଚିମବଙ୍ଗ, ପୁଡ଼ୁଚେରୀ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅତି ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ଏବଂ ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଚିନ୍ତା ବଢ଼ିଛି। କାରଣ ଏହି ସବୁ ରାଜ୍ୟମାନଙ୍କରେ ପଜିଟିଭ୍ ହାର ଜାତୀୟ ପଜିଟିଭ୍ ହାରଠାରୁ ଅଧିକ ରହିଛି। ଓଡ଼ିଶା ମଧ୍ୟ ଏହି ରାଜ୍ୟରେ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଓଡ଼ିଶାରେ ପଜିଟିଭ୍ ହାର ୯.୪୪ ପ୍ରତିଶତ ରହିଛି। ଯାହା ଜାତୀୟ ପଜିଟିଭ୍ ହାର ୬.୭୩ ପ୍ରତିଶତଠାରୁ ଅଧିକ। ଗତ ସୋମବାର ଦିନ ଓଡ଼ିଶାରେ ୪,୮୨୭ ନମୁନା ପରୀକ୍ଷା ହୋଇ ୪୫୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଜୁଲାଇ ୧ ତାରିଖରେ ପଜିଟିଭ୍ ହାର ୪-୬ ପ୍ରତିଶତ ଥିବାବେଳେ ଏହା ହଠାତ୍ ବଢ଼ିଯାଇଛି। ରାଜ୍ୟରେ ମୋଟ୍ ପଜିଟିଭ୍ ମାମଲା ୯ ହଜାର ୫୨୬ ରହିଛି ଏବଂ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୋଟ୍ ସକ୍ରିୟ ମାମଲା ରାଜ୍ୟରେ ୩ ହଜାର ରହିଛି। ପଶ୍ଚିମବଙ୍ଗ ଏବଂ ପୁଡୁଚେରୀ ମଧ୍ୟ ଦେଶରେ ନୂଆ ହଟ୍ସ୍ପଟ୍ ହେବାକୁ ଯାଉଛି। ପୁଡ଼ୁଚେରୀରେ ପଜିଟିଭ୍ ହାର ୫.୫ ପ୍ରତିଶତ ଥିବାବେଳେ ପଶ୍ଚିମବଙ୍ଗରେ ଏହା ୪.୧୬ ପ୍ରତିଶତ ରହିଛି। ଚଣ୍ଡିଗଡ଼ରେ ମଧ୍ୟ ପଜିଟିଭ୍ ହାର ୪.୩୬ ପ୍ରତିଶତ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଗତ ମେ’ ମାସରେ ସରକାରଙ୍କୁ ଦେଇଥିବା ପରାମର୍ଶ ଅନୁଯାୟୀ ଏକ ରାଜ୍ୟରେ ଜିଟିଭ୍ ହାର ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ୫ ପ୍ରତିଶତ କିମ୍ବା ୫ ପ୍ରତିଶତରୁ କମ୍ ରହିବା ଉଚିତ୍। ଯେଉଁ ରାଜ୍ୟଗୁଡ଼ିକ ଏହି ଶ୍ରେଣୀରେ ନରହିବେ ସେହି ରାଜ୍ୟ ଗୁଡ଼ିକ ରେଡ୍ ଜୋନ୍ରେ ଅଛନ୍ତି ବୋଲି କୁହାଯିବ। ଗୋଆରେ ସବୁଠୁ କମ୍ ପଜିଟିଭ୍ ହାର ରହିଛି। ଏଠାରେ କୋଭିଡ୍ ପଜିଟିଭ୍ ହାର ୦.୨ ପ୍ରତିଶତରୁ ୨.୫ ପ୍ରତିଶତକୁ ବୃଦ୍ଧି ପାଇଛି।