‘ଆଜି ପର୍ଯ୍ୟନ୍ତ ଭାରତର ପରମାଣୁ ନୀତି ଥିଲା ପ୍ରଥମେ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ’; କିନ୍ତୁ ଭବିଷ୍ୟତରେ କ’ଣ ହେବ କହି ହେବ ନାହିଁ’: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପୋଖରାନ୍‌/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦକୁ କେନ୍ଦ୍ର କରି ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଦିନକୁ ଦିନ ତିକ୍ତ ଓ ଉଗ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କରିଥିବା ଏକ ବଡ଼ ଘୋଷଣାକୁ ନେଇ ପାକିସ୍ତାନର ଚିନ୍ତା ବଢ଼ି ଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆଜି ପର୍ଯ୍ୟନ୍ତ ଭାରତର ପରମାଣୁ ନୀତି ରହିଥିଲା ଯେ ଭାରତ କାହାରି ଉପରେ ପ୍ରଥମେ ନିଜ ଆଡ଼ୁ ପରମାଣୁ ଆକ୍ରମଣ କରିବ ନାହିଁ। ତେବେ, ସାଂପ୍ରତିକ ସ୍ଥିତିରେ ଭାରତ ତା’ର ପୂର୍ବ ପରମାଣୁ ନୀତିରେ ବାନ୍ଧିହୋଇ ରହିପାରିବ ନାହିଁ। ଭବିଷ୍ୟତରେ ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ତା’ର ପରମାଣୁ ନୀତିରେ ମଧ୍ୟ ପରିବର୍ତ୍ତନ ଆଣିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରି ଦେଇଛନ୍ତି।

ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୁଧବାର ଭାରତକୁ ଧମକ ଦେଇ କହିଥିଲେ ଯେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଭାରତ ସହ ଯୁଦ୍ଧ ପାଇଁ ସୁଦ୍ଧା ପଛଘୁଞ୍ଚା ଦେବ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତର ପରମାଣୁ ନୀତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏ ପ୍ରକାର ଘୋଷଣା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଥିବା ବେଳେ ସମଗ୍ର ବିଶ୍ୱରେ ଆଳୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର