ତେଲ ପାଇଁ ସାଉଦି ଆରବ ଉପରେ ନିର୍ଭରଶୀଳତା କମାଉଛି ଭାରତ

ନୂଆଦିଲ୍ଲୀ: ନିଜର ପେଟ୍ରୋଲିୟମ ଆବଶ୍ୟକତା ନିମନ୍ତେ ମଧ୍ୟ-ପୂର୍ବ ବିଶେଷକରି ସାଉଦିଆରବ ଉପରେ ନିର୍ଭରଶୀଳତା କମାଇବାକୁ ଉଦ୍ୟମ ଆରମ୍ଭ କରିଛି ବିଶ୍ବର ୩ୟ ବୃହତ୍ତମ ତେଲ ଆମଦାନୀକାରୀ ଦେଶ ଭାରତ । ଆରବ ଦେଶମାନଙ୍କରୁ ତେଲ କିଣିବା କମ କରି ବିଶ୍ବର ଅନ୍ୟ ଦେଶମାନଙ୍କଠାରୁ ତେଲ କ୍ରୟ ବୃଦ୍ଧି କରିବାକୁ ପେଟ୍ରୋଲିୟମ ମନ୍ତ୍ରାଳୟ ତେଲ ବିଶୋଧକ କମ୍ପାନିମାନଙ୍କୁ ପରାମର୍ଶ ଦେଇଛନ୍ତି ।

ତେଲ ଦରକୁ ଉଚ୍ଚା ରଖିବାକୁ ସାଉଦି ନେତୃତ୍ବାଧୀନ ଓପେକ ସଂଗଠନ ଜାଣିଶୁଣି ଉତ୍ପାଦନ କମ କରିବା ଫଳରେ ଭାରତ ସମେତ ବିଶ୍ବର ପ୍ରମୁଖ ତେଲ ଗ୍ରାହକମାନେ ବିପୁଳ ପରିମାଣର କ୍ଷତି ସହୁଛନ୍ତି । ଏପରିକି ଉତ୍ପାଦନ ବୃଦ୍ଧି କରିବାକୁ ଭାରତ ସରକାର ଗତମାସରେ ସାଉଦି ଆରବକୁ ଅନୁରୋଧ କରିଥିଲେ ମଧ୍ୟ ସାଉଦି ଆରବ ଅତ୍ୟନ୍ତ ବେପରୁଆଭାବେ ଭାରତର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା । ଗତ ବର୍ଷ ତେଲ ଶସ୍ତା ଥିବାବେଳେ ଭାରତ କିଣି ଗଚ୍ଛିତ ରଖିଥିବା ତେଲ ବ୍ୟବହାର କରୁବୋଲି ସାଉଦି ଭାରତକୁ କହିଥିଲା । ଏହା ପରେ ଭାରତ ସାଉଦି ଆରବରୁ ତେଲ କ୍ରୟ କମ କରିବାକୁ ନିଷ୍ପତ୍ତି ନେଇଛି ।

ଗତ କିଛି ବର୍ଷ ହେଲା ଭାରତ ମଧ୍ୟପୂର୍ବରୁ ତେଲ କ୍ରୟ ଧୀରେ ଧୀରେ ହ୍ରାସ କରିଚାଲିଛି । ବିକଳ୍ପ ଉତ୍ସ ଭାବରେ ଆମେରିକା, ଆଫ୍ରିକା, ଋଷିଆ, ଦକ୍ଷିଣ ଆମେରିକା ଆଦିରୁ ତେଲ କ୍ରୟ ବୃଦ୍ଧି ପାଇଁ ଭାରତର ତେଲମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ତେଲ ବିଶୋଧନକାରୀ କମ୍ପାନିମାନଙ୍କୁ ପରାମର୍ଶ ଦେଇଛନ୍ତି । ଆହୁରି ମଧ୍ୟ ଇରାନରୁ ତେଲ କ୍ରୟ ବୃଦ୍ଧି କରିବାକୁ ଭାରତ ଉଦ୍ୟମ ଚଳାଇଛି ।

ସମ୍ବନ୍ଧିତ ଖବର