ନୂଆଦିଲ୍ଲୀ: ବିଭିନ୍ନ ଦେଶରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟାର ହିସାବ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଯେଉଁ ପଦ୍ଧତି ଅବଲମ୍ବନ କରୁଛି, ଭାରତ ତାହାର ପ୍ରତିବାଦ କରିଛି। ଭାରତ କହିଛି ଯେ ଏହି ପଦ୍ଧତିରେ ହିସାବ କଲେ ଭାରତ ପରି ଦେଶର କୋଭିଡ୍ ମୃତ୍ୟୁ ସଂଖ୍ୟାର ହିସାବ ଠିକ୍ ହେବ ନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ହୁ ଅନ୍ୟ ଦେଶର କୋଭିଡ୍-ମୃତ୍ୟୁସଂଖ୍ୟାର ଆକଳନ ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରୁଛି ଭାରତ ପରି ବିଶାଳ ଭୌଗୋଳିକ ଓ ବିଶାଳ ଜନସଂଖ୍ୟା-ବିଶିଷ୍ଟ ଦେଶ ପାଇଁ ତାହା ପ୍ରଯୁଜ୍ୟ ହେବ ନାହିଁ। ହୁ ବିଶ୍ବ କୋଭିଡ୍-ମୃତ୍ୟୁସଂଖ୍ୟାର ସାର୍ବଜନୀନୀକରଣ ପାଇଁ ଚେଷ୍ଟା କରୁଥିବା ବେଳେ ଭାରତ ଏହାକୁ ବିଳମ୍ବିତ କରୁଛି ବୋଲି ହେଉଥିବା ଅଭିଯୋଗକୁ ନେଇ ‘ନ୍ୟୁୟର୍କ ଟାଇମ୍ସ’ରେ ଏକ ନିବନ୍ଧ ପ୍ରକାଶ ପାଇଥିଲା।

Advertisment

ଏଥିରେ ଭାରତର ମୃତ୍ୟୁ ସଂଖ୍ୟା ପ୍ରାୟ ୪୦ ଲକ୍ଷ ବୋଲି ଦର୍ଶାଯାଇଛି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ ଭାରତ କହିଛି ଯେ ଏହା ହୁ ସହ ବୈଷୟିକ ଆଦାନପ୍ରଦାନ ସହ ଏ ସମ୍ପର୍କରେ ନିୟତ ଯୋଗାଯୋଗରେ ରହିଛି। ଭାରତ ହୁ କୋଭିଡ୍-ମୃତ୍ୟୁସଂଖ୍ୟାର ହିସାବ କରିବା ଓ ତାକୁ ସାର୍ବଜନୀନ କରିବାକୁ ବିରୋଧ କରେ ନାହିଁ। ମାତ୍ର ଭାରତ ପରି ଦେଶ ନିମନ୍ତେ ହିସାବ ପାଇଁ ହୁ ଯେଉଁ ପଦ୍ଧତି ଅବଲମ୍ବନ କରୁଛି ତାହାକୁ ବିରୋଧ କରୁଛି। ଟୁନିସିଆ ପରି ଛୋଟ ଦେଶ ପାଇଁ ଏହି ପଦ୍ଧତି ପ୍ରଯୁଜ୍ୟ ହୋଇପାରେ କିନ୍ତୁ ଭାରତ ପରି ବିଶାଳ ଦେଶ ପାଇଁ ନୁହେଁ, ଯାହାର ଲୋକସଂଖ୍ୟା ୧୩୦ କୋଟିରୁ ଅଧିକ। ଏହି ପଦ୍ଧତିରେ ମାସିକ ଉତ୍ତାପ ଓ ମାସିକ ହାରାହାରି ମୃତ୍ୟୁର ଅନୁପାତକୁ ନିଆଯାଇଛି, ଯାହାର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ।