“ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କର”  ହିନ୍ଦୁ ମହିଳାଙ୍କ ନିର୍ମମ ହତ୍ୟା ପରେ ପାକିସ୍ତାନକୁ କହିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ହୋଇଥିବା ୪୦ ବର୍ଷୀୟ ହିନ୍ଦୁ ମହିଳାଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ନିଜ ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବାକୁ ଭାରତ ଗୁରୁବାର ପାକିସ୍ତାନ ସରକାରଙ୍କୁ କହିଛି।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଆମେ ଏହି ମାମଲାଗୁଡ଼ିକ ବିଷୟରେ ସୂଚନା ପାଇଛୁ, କିନ୍ତୁ ଏହି ମାମଲାଗୁଡ଼ିକ ବିଷୟରେ ଆମ ପାଖରେ ନିର୍ଦ୍ଦିଷ୍ଟଭାବେ କୌଣସି ସୂଚନା ନାହିଁ।

ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପାଇଥିବା ସୂଚନା ଆଧାରରେ ଆମେ ପାକିସ୍ତାନ ସରକାରଙ୍କୁ ଏଠାରେ ରହୁଥିବା ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ମଜବୁତ କରିବାକୁ କହିଛୁ । ହିନ୍ଦୁ ମହିଳା ଦୟା ଭୀମଙ୍କ ହତ୍ୟା ପରେ ଗତ କିଛି ଦିନ ଧରି ପାକିସ୍ତାନର ସିନ୍ଧ ପ୍ରଦେଶରେ ଅରାଜକତାର ବାତାବରଣ ଦେଖାଦେଇଛି।

ଦୟା ଭୀମଙ୍କ ହତ୍ୟା ଜଣାପଡ଼ିବା ପରେ ପାକିସ୍ତାନ ପିପୁଲ୍ସ ପାର୍ଟିର ଥାରପାର୍କର ସିନ୍ଧ ସାଂସଦ କୃଷ୍ଣ କୁମାରୀ ଉକ୍ତ ଗ୍ରାମ ପରିଦର୍ଶନ କରିଥିଲେ। ଗାଁ ପରିଦର୍ଶନ କରିବା ପରେ ଦୟା ଭିଲଙ୍କ ହତ୍ୟା କଥାକୁ ସେ ନିଶ୍ଚିତ କରିଥିଲେ ।

ଗାଁ ପରିଦର୍ଶନ କରିବା ପରେ ସେ ଏକ ଟ୍ୱିଟ୍ ମଧ୍ୟ ପୋଷ୍ଟ କରିଥିଲେ। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଦୟା ଭିଲ ଜଣେ ୪୦ ବର୍ଷ ବୟସ୍କା ମହିଳା ଥିଲେ। ତାଙ୍କୁ କିଛି ଲୋକ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, ତାଙ୍କ ମୃତଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ମିଳିଥିଲା । ଦୟାଙ୍କ ମୁଣ୍ଡ ତାଙ୍କ ଶରୀରଠାରୁ ଅଲଗା ଭାବେ ପଡ଼ିଥିଲା ।

ସମ୍ବନ୍ଧିତ ଖବର