ଭାରତର ଆରୋଗ୍ୟ ହାର ବିଶ୍ବରେ ସର୍ବାଧିକ, ୯୫ ପ୍ରତିଶତ ଟପିଲା

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ଆରୋଗ୍ୟ ହାର ୯୫ ପ୍ରତିଶତ ଟପିଯାଇଛି। ଏହା ସମଗ୍ର ବିଶ୍ବରେ ସର୍ବାଧିକ। ଦେଶରେ ଦୈନିକ ସଂକ୍ରମଣ ମାମଲା ବିଗତ ୨୪ ଘଣ୍ଟାରେ ୨୨,୦୬୫ ରହିଥିଲା। ଗତ ୫ ମାସ ମଧ୍ୟରେ ଏହି ଦୈନିକ ସଂକ୍ରମଣ ସବୁଠୁ କମ୍‌ । ଜୁଲାଇ ୭ରେ ୨୨,୨୫୨ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା‌ ୯୪ ଲକ୍ଷ ୨୨ ହଜାର ୬୩୬ ରହିଛି ଏବଂ ଆରୋଗ୍ୟ ହାର ୯୫ .୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶ୍ବରେ ଅଧିକ ସଂକ୍ରମଣ ମାମଲା ଥିବା ଦେଶଗୁଡ଼ିକରେ ଏହା ସର୍ବାଧିକ। ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଛି ଏବଂ ମୃତ୍ୟୁହାର ଲଗାତାର ଭାବେ କମୁଛି। ଦେଶରେ ଏବେ ୩ ଲକ୍ଷ ୩୯ ହଜାର ୮୨୦ ସକ୍ରିୟ ମାମଲା ରହିଛି।

ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବଢ଼ୁଛି। ଉଭୟ ସକ୍ରିୟ ଏବଂ ଆରୋଗ୍ୟ ମାମଲା ମଧ୍ୟରେ ବ୍ୟବଧାନ ଏବେ ୯୦ ଲକ୍ଷ ୮୨ ହଜାର ୮୧୬ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୪,୪୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ୍‌ ୭୪.୨୪ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪,୬୧୦ ଜଣ କ‌ରୋନାରୁ ସୁସ୍ଥ ହୋଇଥିବା ବେଳେ କେରଳରେ ୪, ୪୮୧ ଏବଂ ପଶ୍ଚିମବଙ୍ଗରେ ୨,୯୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ମୋଟ୍ ସଂକ୍ରମଣ ମାମଲା ୯୯ ଲକ୍ଷ ୬ ହଜାର ୧୬୫ ଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୩ ହଜାର ୭୦୯କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର