ଗତ ୨୪ ଘଣ୍ଟାରେ ଦେଶରେ ୩୩୯୦ଟି ନୂଆ ସଂକ୍ରମଣ ମାମଲା, ଆରୋଗ୍ୟ ହାର ୨୯% ଟପିଲା

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୩୯୦ଟି ନୂଆ ମାମଲା ଜଣାପଡ଼ିଛି । ଦେଶର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୭୯୧୬ ଥିବାବେଳେ ମୋଟ ଆରୋଗ୍ୟ ସଂଖ୍ୟା ୧୬୫୪୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୧୨୭୩ ଜଣ ଆରୋଗ୍ୟ ହୋଇଛନ୍ତି, ଏହା ଫଳରେ ଦେଶର ଆରୋଗ୍ୟ ହାର ୨୯.୩୬ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
ଦେଶର ୨୧୬ ଟି ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ହୋଇନାହିଁ ଓ ୪୨ଟି ଜିଲ୍ଲାରେ ଗତ ୨୮ ଦିନରେ କୌଣସି ନୂଆ ସଂକ୍ରମଣ ହୋଇନାହିଁ ବୋଲି ସେ କହିଛନ୍ତି ।

କରୋନା ମୁକାବିଲା ପାଇଁ ୫୨୬୧ଟି ରେଳଡବାକୁ କରୋନା ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଇଛି । ଏଗୁଡ଼ିକୁ ଦେଶର ୨୧୫ଟି ଷ୍ଟେସନରେ ରଖାଯିବ ଓ ସାମାନ୍ୟ ଲକ୍ଷଣ ଥିବା ଲୋକମାନଙ୍କୁ ଚିକିତ୍ସା କରାଯିବ । ତେବେ ପଜିଟିଭ ବାହାରିଥିବା ଓ ଗୁରୁତର ରୋଗୀମାନଙ୍କ ପାଇଁ କେତେକ ଅଲଗା ରେଳଡବାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ଏପର୍ଯ୍ୟନ୍ତ ମୋଟ ୨୨୨ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଛି ଓ ଏଗୁଡ଼ିକ ମାଧ୍ୟମରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ନିଜ ନିଜ ଗୃହ ରାଜ୍ୟକୁ ପଠାଇଦିଆଯାଇଛି ।

ସମ୍ବନ୍ଧିତ ଖବର