କୋଭିଡ୍‌ ଟିକା ବିତରଣରେ ଭାରତର ଶୀତଳୀକରଣ ସମସ୍ୟା

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ ଯେତେବେଳେ ସଂକ୍ରମଣର ବିଭୀଷିକା ରଚାଇବା ଆରମ୍ଭ କଲା, ବିଶ୍ବର ଅନେକ ଦେଶ ପରି ଭାରତ ମଧ୍ୟ ଏ ପ୍ରକାର ସ୍ବାସ୍ଥ୍ୟ ସଂକଟର ମୁକାବିଲା ପାଇଁ ଆବଶ୍ୟକ ଭେଷଜ ସରଞ୍ଜାମ ଓ ପ୍ରଯୁଜ୍ୟ ଟିକାଟିଏ ପାଇବା ପାଇଁ ବିକଳ ହୋଇପଡ଼ିଥିଲା। ଏବେ ବିଶ୍ବରେ ଏକାଧିକ କୋଭିଡ୍‌ ଟିକା ସାର୍ବଜନୀନ ବ୍ୟବହାର ପାଇଁ ଅପେକ୍ଷା କରି ରହିଥିବା ବେଳେ ବିଶ୍ବର ଜଣେ ପ୍ରମୁଖ ଟିକା ନିର୍ମାତା ଭାବେ ଖ୍ୟାତି ରହିଥିବା ଭାରତ ତାହା ଆହରଣ କରିବା ପାଇଁ ଅନ୍ତତଃ ଗୋଟିଏ ଦୃଷ୍ଟିରୁ ସୁବିଧାଜନକ ସ୍ଥିତିରେ ରହିଛି। କାରଣ ପ୍ରତିବର୍ଷ ୧୫୦ କୋଟିରୁ ଅଧିକ ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ବର୍ଷ ସୁଦ୍ଧା କୋଭିଡ୍‌ ଟିକା ନୋଭାମାକ୍ସର ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ତେବେ ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର ଭାରତରେ ଏହି ଟିକା ସମସ୍ତଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚାଇବା ହିଁ ଏବେ ମୁଖ୍ୟ ଆହ୍ବାନ ପାଲଟିଛି। ଦେଶରେ ଉପଲବ୍‌ଧ ଶୀତଳୀକରଣ ସୁବିଧା ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଅନେକ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଦେଶର ସବୁଠୁ ଅଧିକ ସଂକ୍ରମଣକ୍ଷମ ୩୦ କୋଟି ଲୋକଙ୍କର ପ୍ରଥମେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏକ ଆକଳନରୁ ସୂଚନା ଦେଇଛନ୍ତି। ତେବେ ଏଥିପାଇଁ ଆବଶ୍ୟକ ପଡୁଥିବା (ଜଣକୁ ଅତି କମ୍‌ରେ ଦୁଇଟି ମାତ୍ରା ଲେଖାଏଁ) ୬୦ କୋଟି ମାତ୍ରାର ଶୀତଳୀକୃତ ପରିବହନ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଗୋଦାମ ଘର ଓ ଯାନ ଯଥେଷ୍ଟ ନୁହେଁ ବୋଲି ଜଣାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଯଦି ଏବେଠାରୁ ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରାଯାଏ, ତେବେ ୨୦୨୧ ଶେଷ ସୁଦ୍ଧା ୫୫ କୋଟିରୁ ୬୦ କୋଟି ମାତ୍ରା ବିତରଣ କରିବା ସମ୍ଭବ। ସମ୍ପ୍ରତି ଦେଶରେ ଏହି କୋଭିଡ୍‌ ଟିକାକରଣରେ ସାମିଲ ହେବା ପାଇଁ ୨୭,୦୦୦ ଶୀତଳ ଭଣ୍ଡାର, ୭୬,୦୦୦ ଯନ୍ତ୍ରାଂଶ, ୭୦୦ ଯାନ, ୫୫,୦୦୦ ବିନିଯୋଗକାରୀ ଏବଂ ୨୫ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ମହଜୁଦ ଅଛନ୍ତି। ମାତ୍ର ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଉପଲବ୍‌ଧ ଏହି ସୁବିଧାକୁ ଆହୁରି ଦୁଇରୁ ତିନି ଗୁଣ ବଢ଼ାଇବାକୁ ହେବ। ଅବଶ୍ୟ କେବଳ ଏହି ଲକ୍ଷ୍ୟ ହାସଲ କରିବା ମୁଖ୍ୟ ସମସ୍ୟା ନୁହେଁ। ଏଥି ସାଙ୍ଗକୁ ବିଭିନ୍ନ ଯୋଗାଣ କେନ୍ଦ୍ର ମଧ୍ୟରେ ରହିଥିବା ଦୂରତା ହ୍ରାସ କରିବା ହିଁ ଅନ୍ୟତମ ଆହ୍ବାନ ପାଲଟିଛି। କାରଣ ଟିକା ପ୍ରସ୍ତୁତି କାରଖାନାଠାରୁ ଆରମ୍ଭ କରି ଦେଶର ବିଭିନ୍ନ କୋଣ ଅନୁକୋଣରେ ଆବଶ୍ୟକ ନିମ୍ନ ତାପମାତ୍ରାରେ ଟିକାକୁ ପହଞ୍ଚାଇବା ହିଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟଥା ତାପମାତ୍ରାରେ ସାମାନ୍ୟ ଏପଟସେପଟ ହୋଇଗଲେ ଟିକାର କାର୍ଯ୍ୟକାରିତା ଶୂନ ହୋଇଯିବାର ଆଶଙ୍କା ରହିଛି। ସୁତରାଂ ଦେଶ ଏଭଳି ସଂକଟର କିଭଳି ମୁକାବିଲା କରିପାରୁଛି ତାହା ସମୟ ହିଁ କହିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର