ଜାତିସଂଘର ସାଧାରଣ ପରିଷଦ୍‌ରେ ଇମ୍ରାନ୍‌ ଖାଁଙ୍କ ଭାଷଣର ଜବାବ ଦେଲା ଭାରତ

ଜାତିସଂଘ: ଶନିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ବିଦିଶା ମୈତ୍ର ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଇଥିବା ଭାଷଣର ଜବାବ ଦେଇଛନ୍ତି।

ମୈତ୍ର କହିଲେ ଯେ ବିଶ୍ୱମଞ୍ଚରେ ଥାଇ ଆଣବିକ ଧ୍ୱଂସଲୀଳା ରଚିବା ନିମନ୍ତେ ଖାଁଙ୍କ ଧମକ ରାଜନୀତିଜ୍ଞତା ନୁହେଁ ଅସ୍ଥିରତା ସୃଷ୍ଟିକାରୀର ପରିଚୟ ଦେଉଛି।

ସେ କହିଲେ ଇମ୍ରାନ୍‌ ଖାଁଙ୍କ ଠାରୁ ଯାହା ଶୁଣିଲୁ ତାହା ହେଉଛି ଦୁନିଆର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟର ନିଷ୍ଠୁର ଚିତ୍ରଣ। ଆମେ ବନାମ ସେମାନେ… ଧନୀ ବନାମ ଗରିବ… ଉତ୍ତର ବନାମ ଦକ୍ଷିଣ.. ବିକଶିତ ବନାମ ବିକାଶଶୀଳ ଏବଂ ମୁସଲମାନ ବନାମ ଅନ୍ୟମାନେ।

Image Courtesy of Times of India

ସେ ଆହୁରି କହିଲେ ଯେ ଖାଁଙ୍କ ଭାଷଣ ବିଦ୍ୱେଷ ସୃଷ୍ଟି କରୁଛି, ପାର୍ଥକ୍ୟ ଶାଣିତ କରୁଛି ଏବଂ ଘୃଣାଭାବ ଉଦ୍ରେକ କରାଉଛି। ମୋଟ ଉପରେ କହିବାକୁ ଗଲେ ଏହା ଗୋଟାଏ ବିଦ୍ୱେଷାତ୍ମକ ଭାଷଣ।

ସେ ପୁଣି କହିଲେ, ପାକିସ୍ତାନ ହେଉଛି ବିଶ୍ୱରେ ଏକମାତ୍ର ସରକାର ସେ ଜାତିସଂଘର ଅଲ-କାଏଦା ଏବଂ ଦାଏସ୍‌ କଟକଣା ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ପେନ୍‌ସନ୍‌ ଦେଉଛି। ଏ କଥା ପାକିସ୍ତାନ ମାନିବ କି?

କୂଟନୀତିରେ କଥାର ଗୁରୁତ୍ୱ ରହିଛି। ଇମ୍ରାନ ଖାଁ ଉଲ୍ଲେଖ କରିଥିବା ଧ୍ୱଂସ, ରକ୍ତସ୍ନାନ, ବର୍ଣ୍ଣୀୟ ଶ୍ରେଷ୍ଠତା, ଲଢ଼େଇ ପାଇଁ ବନ୍ଧୁକ ଧରିବା ଆଦି ଶବ୍ଦଗୁଡ଼ିକ ମଧ୍ୟଯୁଗୀୟ ମାନସିକତାର ପରିଚୟ ଦିଏ। ଏହା ଏକବିଂଶ ଶତାବ୍ଦୀର ଦୃଷ୍ଟିଭଙ୍ଗୀ ନୁହେଁ ବୋଲି ସେ କହିଛନ୍ତି।
ଶୁକ୍ରବାର ଦିନ ଜାତିସଂଘରେ ଖାଁ ଦେଇଥିବା ପ୍ରାୟ ୫୦ ମିନିଟ୍‌ ବ୍ୟାପ୍ତ ଭାଷଣର ଅର୍ଦ୍ଧାଧିକ ଥିଲା ଭାରତ ଓ କଶ୍ମୀର ପ୍ରସଙ୍ଗରେ।

ସମ୍ବନ୍ଧିତ ଖବର