ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଆମେରିକା ମାଟିରେ ରହି ଭାରତ ବିରୋଧରେ ଯେଉଁ ପରମାଣୁ ଯୁଦ୍ଧ ଟିପ୍ପଣୀ ଦେଇଥିଲେ ଭାରତ ତାହାର କଡ଼ା ନିନ୍ଦା କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ପାକିସ୍ତାନକୁ ଏନେଇ ଜବାବ ଦେଇ କହିଛି ଯେ ପାକିସ୍ତାନ ନିଜର ଘରୋଇ ବିଫଳତାକୁ ଲୁଚାଇବା ପାଇଁ ଭାରତ ବିରୋଧୀ ବୟାନବାଜି କରୁଛି ଏବଂ ଭାରତ ବିରୋଧରେ ବୃଥା ଆସ୍ଫାଳନ ଜାରି ରଖିଛି। ପାକିସ୍ତାନକୁ ଯେ କୌଣସି ପ୍ରକାର ଦୁଃସାହସ ପାଇଁ ଅତି ଯନ୍ତ୍ରଣାଦାୟକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଭାରତ ଚେତାଇ ଦେଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ‘ଆମେ ଭାରତ ବିରୋଧରେ ପାକିସ୍ତାନୀ ନେତୃବୃନ୍ଦଙ୍କ ଦ୍ୱାରା ଲଗାତାର ବେପରୁଆ, ଯୁଦ୍ଧଖୋର୍ ଓ ଘୃଣ୍ୟ ମନ୍ତବ୍ୟ ଦେଖୁଛୁ। ନିଜର ବିଫଳତାକୁ ଲୁଚାଇବା ପାଇଁ ବାରମ୍ବାର ଭାରତ ବିରୋଧୀ ବୟାନବାଜି କରିବା ପାକିସ୍ତାନର ଏକ ଜଣାଶୁଣା ପଦ୍ଧତି। ତେବେ ଜୈସ୍ବାଲ ଚେତାବନୀ ଦେଇ କହିଛନ୍ତି ଯେ ଯେକୌଣସି ପ୍ରକାର ଦୁଃସାହସ ପାଇଁ ପାକିସ୍ତାନକୁ ଯନ୍ତ୍ରଣାଦାୟକ ପରିଣାମ ଭୋଗିବାକୁ ପଡ଼ିବ, ଯାହା ଆମେ ନିକଟରେ ଦେଖାଇ ସାରିଛୁ। ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ଗତ ମେ’ରେ ଆରମ୍ଭ କରିଥିବା ‘ଅପରେସନ୍ ସିନ୍ଦୂର’କୁ ଇଙ୍ଗିତ କରି ଜୈସ୍ବାଲ ଏହି ଟିପ୍ପଣୀ ଦେଇଛନ୍ତି।
ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁନିରଙ୍କ ଆମେରିକା ଗସ୍ତ ସମୟରେ ଦେଇଥିବା ବିବୃତିକୁ ସମର୍ଥନ କରିବା ପରେ ଭାରତ ଏହି ପ୍ରସଙ୍ଗରେ ଜବାବ ଦେଇଛି। ଭାରତଠାରୁ ଅସ୍ତିତ୍ୱର ବିପଦର ସମ୍ମୁଖୀନ ହେଲେ ଇସଲାମାବାଦ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ ଏବଂ ‘ଅଧା ବିଶ୍ୱକୁ ଧ୍ବଂସ କରିଦେବ’ ବୋଲି ମୁନିର ଚେତାବନୀ ଦେଇଥିଲେ। ଭାରତ ଏହି ମନ୍ତବ୍ୟକୁ ‘ପରମାଣୁ ଆକ୍ରମଣ ଧମ ’ ବୋଲି କହି ନିନ୍ଦା କରିଛି ଏବଂ ଏହା ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଆଞ୍ଚଳିକ ଓ ବିଶ୍ୱ ସୁରକ୍ଷା ପାଇଁ ବିପଦ ବୋଲି କହିଛି। ଏପରି ବିପଦ ଆତଙ୍କବାଦୀ ଗୋଷ୍ଠୀ ସହ ହାତ ମିଳାଇଥିବା ଏକ ସାମରିକ ପ୍ରତିଷ୍ଠାନରୁ ଆସିଥିବାରୁ ଭାରତ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି। ପାକିସ୍ତାନର ପରମାଣୁ ଅସ୍ତ୍ରାଗାରର ସୁରକ୍ଷା ଉପରେ ମଧ୍ୟ ଭାରତ ସନ୍ଦେହ ପ୍ରକଟ କରିଛି। ତେବେ ପାକିସ୍ତାନ ଭାରତର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହାର ପରମାଣୁ ନୀତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଏହା ରଣନୈତିକ ମାମଲାରେ ‘ସର୍ବଦା ଶୃଙ୍ଖଳା ଏବଂ ସଂଯମତା ରକ୍ଷା କରିଛି। ପାକିସ୍ତାନ କହିଛି ଯେ ଭାରତର ଯେକୌଣସି ‘ଆକ୍ରମଣ’ର ‘ତୁରନ୍ତ ଓ ସମାନ ଜବାବ’ ଦିଆଯିବ।