ୟୁକ୍ରେନ ଉପରେ ଯୁଦ୍ଧର କଳାବାଦଲ : ଉତ୍ତେଜନା ହ୍ରାସ ପାଇଁ ଭାରତର ସହାୟତା ଲୋଡ଼ିଲା ଆମେରିକା

ଓ୍ବାସିଂଟନ : ଋଷିଆର ସମ୍ଭାବ୍ୟ ୟୁକ୍ରେନ ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ବଢିବାରେ ଲାଗିଛି । ଏହି ସଂକଟର ଅବସାନ ପାଇଁ ଆମେରିକା ଓ ପାଶ୍ଚାତ୍ୟ ଦେଶସମୂହଙ୍କ ଉଦ୍ୟମ ସତ୍ତ୍ବେ କିଛି ଅଗ୍ରଗତି ହେବା ଭଳି ଲାଗୁନାହିଁ । କାରଣ ୟୁକ୍ରେନ ସୀମାରେ ଏବେ ବି ଋଷିଆର ୧ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ।  ଏ ପରିପ୍ରେକ୍ଷୀରେ ଭାରତ ଓ ଅନ୍ୟ ମିତ୍ର ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିଛି ଆମେରିକା ।

ହ୍ବାଇଟହାଉସ୍ ମୁଖପାତ୍ର ଜେନ ସାକି କହିଛନ୍ତି, “ ଉତ୍ତେଜନା ହ୍ରାସ ପାଇଁ ଯେକୌଣସି ପ୍ରକାରର ଉଦ୍ୟମକୁ ଆମେ ସ୍ବାଗତ କରିବୁ । ଏଥିପାଇଁ ଆମେ ଭାରତ ସମେତ ଆମ ପ୍ରମୁଖ ମିତ୍ର ରାଷ୍ଟ୍ରଙ୍କ ଯୋଗାଯୋଗରେ ଅଛୁ । ତେବେ କେବଳ ଭାରତୀୟ ଅଧିକାରୀଙ୍କ ପାଇଁ ଆମର କୌଣସି ସ୍ବତନ୍ତ୍ର ଅନୁରୋଧ ନାହିଁ ।

ୟୁକ୍ରେନକୁ ବଳ ପୂର୍ବକ ଅଧିକାର କରିବାକୁ ଋଷିଆ ଯୋଜନା କରୁଛି ବୋଲି ଆମେରିକା ଓ ତାହାର ମିତ୍ର ଦେଶମାନେ ଅଭିଯୋଗ କରୁଛନ୍ତି । ତେବେ ଏପରି କୌଣସି ଯୋଜନା ନାହିଁ ବୋଲି ଋଷିଆ ସ୍ପଷ୍ଟ କରିଦେଇଛି । ଇତି ମଧ୍ୟରେ ୟୁକ୍ରେନ ସୀମାରେ ଋଷିଆ ପ୍ରାୟ ୧ ଲକ୍ଷରୁ ଅଧିକ ସୈନ୍ୟ ଓ ଟ୍ୟାଙ୍କ ଠୁଳ କରିଥିବାବେଳେ ନାଟୋ ପକ୍ଷରୁ ମଧ୍ୟ ସୈନ୍ୟ ଓ ଯୁଦ୍ଧ ବିମାନ ଆଦି ସହ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ୟୁକ୍ରେନ ସ୍ଥିତି ଉପରେ ନିଜର ରଖିଛି ଭାରତ । ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନୀୟ ଭାରତୀୟ ଦୂତାବାସରେ ପଂଜୀକରଣ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ଏହାଫଳରେ ଯୁଦ୍ଧ ସ୍ଥିତିରେ ଭାରତୀୟ ନାଗରିକମାନଙ୍କୁ ସହଜରେ ଉଦ୍ଧାର କରିହେବ ।

ସମ୍ବନ୍ଧିତ ଖବର