ଭିଏନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରିଆ ଗସ୍ତ ଅବସରରେ ବୁଧବାର ୟୁକ୍ରେନ୍ ଯୁଦ୍ଧ, ମଧ୍ୟପ୍ରାଚ୍ୟ ସଂଘର୍ଷ, ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମରଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନେହାମର କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଯୁଦ୍ଧକୁ ନେଇ ୟୁରୋପର ଉଦ୍‌ବେଗ ବିଷୟରେ ସେ ମୋଦୀଙ୍କୁ ସୂଚିତ କରିଥିଲେ। ତାଙ୍କ ମତରେ ୟୁକ୍ରେନ୍ ଶାନ୍ତି ପାଇଁ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ। ଯୁଦ୍ଧକୁ ନେଇ ଭାରତର ଆକଳନ ଜାଣିବା, ଏହାକୁ ବୁଝିବା ଏବଂ ଭାରତକୁ ୟୁରୋପୀୟ ଚିନ୍ତା ଓ ଉଦ୍‌ବେଗ ସହ ପରିଚିତ କରାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହାବ୍ୟତୀତ ମଧ୍ୟପ୍ରାଚ୍ୟ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ଏବଂ ଏହି ଆହ୍ୱାନଜନକ ଭୂ-ରାଜନୈତିକ ପରିସ୍ଥିତି ବ୍ୟତୀତ ଆମେ ଆମ ସହଯୋଗର ସକାରାତ୍ମକ ଦିଗ ବିଷୟରେ ମଧ୍ୟ ଆଲୋଚନା କରିଛୁ ବୋଲି ଅଷ୍ଟ୍ରିଆ ଚାନ୍ସେଲର କହିଛନ୍ତି। ଅକ୍ଷୟ ଶକ୍ତି, ହାଇଡ୍ରୋଜେନ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା ତଥା କୃତ୍ରିମ ବୁଦ୍ଧିମତ୍ତା ଭଳି କ୍ଷେତ୍ରରେ ଯୁବଶକ୍ତିକୁ ଯୋଡ଼ିବା ଏବଂ ପରସ୍ପରକୁ ସୁଦୃଢ଼ କରିବା ପାଇଁ ଦୁଇ ଦେଶ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି।

Advertisment

ଗସ୍ତର ଦ୍ୱିତୀୟ ଦିନରେ ନରେନ୍ଦ୍ର ମୋଦୀଙ୍କୁ ଫେଡେରାଲ ଚାନ୍‌ସେଲେରିରେ ଏକ ଆନୁଷ୍ଠାନିକ ସମ୍ବର୍ଦ୍ଧନା ଉତ୍ସବରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ୪୦ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦେଶ ଗସ୍ତରେ ଆସିଥିବା ମୋଦୀ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ବନ୍ଧୁତା ଆହୁରି ଦୃଢ଼ ହେବ। ଦୁଇ ଦିନିଆ ରୁଷ୍ ଗସ୍ତ ପରେ ଗତରାତିରେ ଭିଏନା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ମୋଦୀଙ୍କୁ ଅଷ୍ଟ୍ରିଆ ବୈଦେଶିକ ମନ୍ତ୍ରୀ ଆଲେକଜାଣ୍ଡର ସ୍କାଲେନବର୍ଗ ସ୍ୱାଗତ କରିଥିଲେ। ବୁଧବାର ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମରଙ୍କ ସହ ଆନୁଷ୍ଠାନିକ ଆଲୋଚନା‌ ପୂର୍ବରୁ ତାଙ୍କ ସହ ବ୍ୟକ୍ତିଗତ ରାତ୍ରିଭୋଜନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ଅଷ୍ଟ୍ରିଆର ଚାନ୍ସେଲର ମୋଦୀଙ୍କ ସହ ସେଲଫି ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ନେହାମର ଏକ୍ସରେ ମଧ୍ୟ ଭାରତକୁ ‘ବନ୍ଧୁ’ ଓ 'ଅଂଶୀଦାର' ବୋଲି କହିବା ସହ ଅଭୁଲା ମୁହୂର୍ତ୍ତଗୁଡ଼ିକର ଫଟୋ ପୋଷ୍ଟ କରିଥିଲେ। ଅଷ୍ଟ୍ରିଆ ଚାନ୍ସେଲର ତାଙ୍କ ଟ୍ବିଟ୍‌ରେ ଲେଖିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ! ଆପଣଙ୍କୁ ଭିଏନାକୁ ସ୍ୱାଗତ। ଅଷ୍ଟ୍ରିଆରେ ଆପଣଙ୍କୁ ସ୍ୱାଗତ କରିବା ଆନନ୍ଦ ଓ ସମ୍ମାନର ବିଷୟ। ଅଷ୍ଟ୍ରିଆ ଓ ଭାରତ ବନ୍ଧୁ ଓ ସହଯୋଗୀ। ଏହାର ଜବାବରେ ମୋଦୀ କହିଛନ୍ତି, ଭାରତ-ଅଷ୍ଟ୍ରିଆ ବନ୍ଧୁତା ଦୃଢ଼ ଓ ଆଗାମୀ ଦିନରେ ଏହା ଆହୁରି ମଜଭୁତ ହେବ।