ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଉପସ୍ଥିତିରେ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଖଣ୍ଡେରି

ମୁମ୍ବାଇ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କଲାବରି ଶ୍ରେଣୀର ଦ୍ୱିତୀୟ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଖଣ୍ଡେରି’କୁ ଶନିବାର ଦିନ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁମ୍ବାଇ ଠାରେ ଏହି ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜକୁ ମୁମ୍ବାଇ ଠାରେ ନୌସେନାକୁ ଅର୍ପଣ କରିଛନ୍ତି। ଆଇଏନ୍‌ଏସ୍‌ କଲାବରି ପରେ ଏହା ହେଉଛି ନୌସେନାରେ ସାମିଲ କରାଯାଇଥିବା ଦ୍ୱିତୀୟ ସ୍କର୍‌ପିନ୍‌-କ୍ଲାସ୍‌ ଜାହାଜ।

ଏ ଉପଲକ୍ଷେ ଆୟୋଜିତ ଅନୁଷ୍ଠାନରେ ପ୍ରତିରକ୍ଷା ମନ୍ତ୍ରୀ କହିଲେ: ସମୁଦ୍ର ଶଯ୍ୟା ପାଖରେ ସନ୍ତରଣ କରିବା ବେଳେ ଶିକାର କରୁଥିବା ଭୟାବହ ‘ଖଣ୍ଡାଦାନ୍ତ ମାଛ’ର ନାମାନୁସାରେ ‘ଖଣ୍ଡେରି’ ନାମିତ ହୋଇଛି।

Image Source: ANI

ମୁମ୍ବାଇସ୍ଥିତ ମାଜଗାଓଁ ଡକ୍‌ରେ ଏହି ଡିଜେଲ୍‌-ଇଲେକ୍ଟ୍ରିକ୍‌ ଯୁଦ୍ଧ ବୁଡ଼ାଜାହାଜ ନିର୍ମିତ। ଆଇଏନ୍‌ଏସ୍‌ ଖଣ୍ଡେରିର ସର୍ବାଧିକ ବେଗ ହେଉଛି ଘଣ୍ଟାପ୍ରତି ୨୦ ନଟିକାଲ୍‌ ମାଇଲ୍‌। ସମୁଦ୍ରରେ ବୁଡ଼ି ଚାଲୁଥିବା ବେଳେ ଏଥିରୁ କମ୍‌ ଶବ୍ଦ ନିର୍ଗତ କରାଇବା ନିମନ୍ତେ ବୈଷୟିକ କୌଶଳ କରାଯାଇଛି।

ପାକିସ୍ତାନକୁ ସମାଲୋଚନା କରି ସିଂହ କହିଲେ: ଆଜି ସେମାନେ ବୁଝିବା ଉଚିତ ଯେ ଆମ ସରକାରର ଦୃଢ଼ ନିଷ୍ପତ୍ତି ଏବଂ ଆଇଏନ୍‌ଏସ୍‌ ଖଣ୍ଡେରି ଭଳି ଜାହାଜକୁ ସାମିଲ କରି ନୌସେନାର ସାମର୍ଥ୍ୟ ବୃଦ୍ଧି ବଳରେ ଆମେ ଶକ୍ତ ଧକ୍କା ଦେବାକୁ ସମର୍ଥ। ସମୁଦ୍ର ବାଟେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଉପକୂଳ ଅଞ୍ଚଳରେ ଆକ୍ରମଣ କରିବାକୁ କେତେକ ଶକ୍ତି ଷଡ଼ଯନ୍ତ୍ର କରୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବ ନାହିଁ।

ସମ୍ବନ୍ଧିତ ଖବର