ଜାତିସଂଘ ବିତର୍କରେ କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: ୭୭ତମ ଜାତିସଂଘ ସାଧାରଣ ପରିଷଦ୍‌ ବୈଠକରେ ଉଦ୍‌ବୋଧନ ଦେବା ବ‌େଳେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ ଓ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ଙ୍କୁ ଆଜି ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ ତୀବ୍ର ସମାଲୋଚନା କରିଛନ୍ତି।

ବିତର୍କରେ ପ୍ରତ୍ୟୁତ୍ତର ଦେବା ଅଧିକାର ପ୍ରୟୋଗ କରି ଜାତିସଂଘସ୍ଥିତ ଭାରତୀୟ ମିସନ୍‌ର ପ୍ରଥମ ସଚିବ ମିଜିତୋ ବିନିତୋ କହିଛନ୍ତି, ଦୁଃଖର ବିଷୟ, ଭାରତ ନାଁରେ ମିଥ୍ୟା ଅଭିଯୋଗ କରିବା ଲାଗି ପାକିସ୍ତାନର ପ୍ରଧାନମନ୍ତ୍ରୀ ଏ ମହାସଭାର ମଞ୍ଚକୁ ଚୟନ କରିଛନ୍ତି। ନିଜ ଦେଶର ଅପକୀର୍ତ୍ତିକୁ ଅସ୍ପଷ୍ଟ କରିବା ସହ ଭାରତ ବିରୋଧରେ ଅଗ୍ରହଣୀୟ ବୋଲି ବିଶ୍ବ ବିଚାର କରୁଥିବା କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି ଦର୍ଶାଇବାକୁ ସେ ଏଭଳି କରୁଛନ୍ତି।

ଗତକାଲି ଉଦ୍‌ବୋଧନ ଦେବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ୧୦ ଥର ‘କଶ୍ମୀର’ ଏବଂ ‘୯’ଥରୁ ଅଧିକ ଭାରତ ନାଁ ଉଲ୍ଲେଖ କରିଥିଲେ। ପୂର୍ବରୁ ମଧ୍ୟ ଏହି ମଞ୍ଚରେ ପାକିସ୍ତାନର ପ୍ରଧାନମନ୍ତ୍ରୀମାନେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଛନ୍ତି।

Image Courtesy of Zee News

ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ଙ୍କ ଦୃଷ୍ଟାନ୍ତ ଦେଇ ବିନିତୋ କହିଲେ, ପଡ଼ୋଶୀ ଦେଶମାନଙ୍କ ସହିତ ଶାନ୍ତି ରକ୍ଷା କରିବେ ବୋଲି ଯେଉଁ ଦେଶ କହୁଛି, ସେ ଦେଶ କେବେ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରକାରୀଙ୍କୁ ଆଶ୍ରୟ ଦେଇ ନ ଥାଆନ୍ତା।

ଦୃଢ଼ତାର ସହ ସେ କହିଲେ, ଆତଙ୍କବାଦ, ସଂଘର୍ଷ ଏବଂ ହିଂସାମୁକ୍ତ ପରିସ୍ଥିତିରେ ଭାରତ ପାକିସ୍ତାନ ସହିତ ସ୍ବାଭାବିକ ପଡ଼ୋଶୀ ସମ୍ପର୍କ ରକ୍ଷା କରିବାକୁ ଚାହେଁ। ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଥିଲା, ଅଛି ଏବଂ ରହିବ।

ପାକିସ୍ତାନରେ ଘଟୁଥିବା ହିନ୍ଦୁ, ଶିଖ୍ ଏବଂ ଖ୍ରୀଷ୍ଟିଆନ୍‌ ପରିବାରର ନାବାଳିକା ଅପହରଣ ଓ ବଳପୂର୍ବକ ବିବାହ କଥା ଉଲ୍ଲେଖ କରି ସେ କହିଲେ, ସଂଖ୍ୟାଲଘୁମାନଙ୍କ ଅଧିକାର ଉଲ୍ଲଂଘନ କରୁଥିବା ଦେଶ ବୈଶ୍ବିକ ମଞ୍ଚରେ ସଂଖ୍ୟାଲଘୁ ପ୍ରସଙ୍ଗ ଉତ୍ଥାପନ କରୁଛନ୍ତି।

ସମ୍ବନ୍ଧିତ ଖବର