ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଭାରତ ଦାଖଲ କରିଥିବା ତାଲିକା ଅନୁୟାୟୀ ପାକିସ୍ତାନକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଭାରତରେ ଅନେକ ବର୍ବର ଆକ୍ରମଣ ଘଟାଇଥିବା ଆତଙ୍କୀଙ୍କୁ ପ୍ରତ୍ୟର୍ପଣ କରିବାକୁ ପଡ଼ିବ ବୋଲି ଆଜି ପାକିସ୍ତାନକୁ   ଭାରତ ରୋକ୍‌ଠୋକ୍‌ ଶୁଣାଇ ଦେଇଛି।  ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ  ଆତଙ୍କବାଦ ସମେତ ସମସ୍ତ ପ୍ରସଙ୍ଗରେ ଭାରତ ସହ ଆଲୋଚନା ପାଇଁ  ଖୋଲା ପ୍ରସ୍ତାବ ଦେଇଥିବା ବେଳେ ଆଜି ଭାରତ କହିଛି ଯେ  ଆତଙ୍କବାଦୀ ହସ୍ତାନ୍ତର କରିବା ଏବଂ ଜମ୍ମୁ-କାଶ୍ମୀରରେ ବେଆଇନ କବ୍‌ଜାରେ ଥିବା ଅଂଶ (ପିଓକେ)କୁ ଖାଲି କରିବା ବିଷୟରେ  ହିଁ  କଥାବାର୍ତ୍ତା ହୋଇପାରିବ।  

Advertisment

ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନକରିବା ପର୍ଯ୍ୟନ୍ତ ସିନ୍ଧୁ ଚୁକ୍ତି ସ୍ଥଗିତ ରହିବ ବୋଲି ପୁଣି ଥରେ ଭାରତ ସ୍ପଷ୍ଟ କରିଛି। ବିଦେଶ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଭାରତ ସହ ଆଲୋଚନା ପ୍ରସ୍ତାବ ସଂପର୍କିତ ବୟାନ ନେଇ ଭାରତର ପ୍ରତିକ୍ରିୟା ସମ୍ପର୍କରେ ପଚରାଯିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନ ସହ ଆମର ସମ୍ପର୍କ ବିଷୟରେ ଆମର ଆଭିମୁଖ୍ୟ ବହୁତ ସ୍ପଷ୍ଟ। ଆମ ମଧ୍ୟରେ କୌଣସି ସମ୍ପର୍କ କିମ୍ବା ଯୋଗାଯୋଗ ଦ୍ୱିପାକ୍ଷିକ ହେବା ଆବଶ୍ୟକ। ଆମେ ଦୋହରାଇବାକୁ ଚାହୁଛୁ ଯେ ଆତଙ୍କବାଦ ଏବଂ ଆଲୋଚନା ଏକାଠି ହୋଇପାରିବ ନାହିଁ । ପାକିସ୍ତାନ କୁଖ୍ୟାତ ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପଡ଼ିବ, ଯାହାର ରେକର୍ଡ ଓ ତାଲିକା ଆମେ କିଛି ବର୍ଷ ପୂର୍ବେ ସେମାନଙ୍କୁ ହସ୍ତାନ୍ତର କରିଥିଲୁ। ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଜୟସ୍ବାଲ କହିଛନ୍ତି ଯେ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନକରିବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯିବା ନୀତିରେ ଆମେ କାଏମ ରହିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ଅନୁଯାୟୀ, ଆତଙ୍କବାଦ ଓ କଥାବାର୍ତ୍ତା ଏକାଠି ହୋଇପାରିବ ନାହିଁ, ଆତଙ୍କବାଦ ଓ ବାଣିଜ୍ୟ ଏକାଠି ହୋଇପାରିବ ନାହିଁ ଏବଂ ପାଣି ଓ ରକ୍ତ ଏକାଠି ପ୍ରବାହିତ ହେବ ନାହିଁ। 

ଅପରେସନ ସିନ୍ଦୂର ପରେ ଲସ୍କର-ଏ-ତୋଇବା ଆତଙ୍କବାଦୀମାନେ ପାକିସ୍ତାନରେ ଜନସମାବେଶ କରୁଛନ୍ତି ଏବଂ ସେଥିରେ ପାକିସ୍ତାନ ସରକାରଙ୍କ ନେତା ଓ ସେନା ଅଧିକାରୀଙ୍କ ଉପସ୍ଥିତି ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର କହିଛନ୍ତି, ‘ଆତଙ୍କବାଦୀଙ୍କୁ ମହିମାମଣ୍ଡିତ କରିବା, ମାଲ୍ୟାର୍ପଣ କରିବା ଏବଂ ସେମାନଙ୍କୁ ବଡ଼ ବଡ଼ ପ୍ଲାଟଫର୍ମ ଦେବା ଆମ ପାଇଁ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ।’ ଏଥିରୁ ସ୍ପଷ୍ଟ ହେଉଛି ଯେ ପାକିସ୍ତାନରେ ଆତଙ୍କବାଦୀଙ୍କୁ ରାଷ୍ଟ୍ର ଓ ସେନାର ସମର୍ଥନ ରହିଛି।