ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନକୁ କୂଟନୈତିକ, ରାଜନୈତିକ ଓ ସାମରିକ ସମର୍ଥନ ଯୋଗାଉଥିବା ତୁର୍କୀକୁ ଆଜି ଭାରତ କଡ଼ା ବାର୍ତ୍ତା ଦେଇଛି। ଭାରତ ସରକାର ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନର ସୀମାପାର ଆତଙ୍କବାଦ ନେଇ ଭାରତ ସର୍ବଦା ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବ ଏବଂ ଏ କ୍ଷେତ୍ରରେ ତୁର୍କୀ ପାକିସ୍ତାନକୁ ସୀମାପାର ଆତଙ୍କବାଦରୁ ଦୂରେଇ ରଖିବା ଦିଗରେ କାମ କରିବା ହିଁ ଉତ୍ତମ ପନ୍ଥା ହେବ। ପାକିସ୍ତାନ ଆତଙ୍କବାଦକୁ ରାଷ୍ଟ୍ରନୀତିର ଉପକରଣ ଭାବରେ ବ୍ୟବହାର କରୁଥିବାରୁ ଏଥିରୁ ଏହାକୁ ନିବୃତ୍ତ କରିବା ପାଇଁ ତୁର୍କୀ ପ୍ରୟାସ କରୁ ଏବଂ ପାକ୍ର ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ବିଶ୍ୱସନୀୟ ଏବଂ ଯାଞ୍ଚଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ତୁର୍କୀ ପାକିସ୍ତାନକୁ ଲଗାତାର ସମର୍ଥନ ଦେଇଆସୁଛି ଏବଂ ଏହାକୁ ନେଇ ଭାରତ ସ୍ପଷ୍ଟ କରିଛି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପରସ୍ପରର ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଆଧାରିତ ଥିବାରୁ ତୁର୍କୀ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ। ଜୟସ୍ବାଲ କହିଛନ୍ତି, ଆମେ ଆଶା କରୁଛୁ ଯେ ତୁର୍କୀ ପାକିସ୍ତାନର ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିବାକୁ ଦୃଢ଼ ଅନୁରୋଧ କରିବ ଏବଂ ଆତଙ୍କବାଦ ଇକୋସିଷ୍ଟମ ବିରୋଧରେ ସ୍ବର ଉଠାଇବ।
ସୂଚନାଯୋଗ୍ୟ, ଭାରତ ବିରୋଧରେ ସାମରିକ ଅଭିଯାନରେ ପାକିସ୍ତାନ ବ୍ୟବହାର କରିଥିବା ୩୦୦-୪୦୦ ଡ୍ରୋନ୍ ତୁର୍କୀ ଯୋଗାଇ ଦେଇଥିଲା। ଏହି ଡ୍ରୋନ୍ଗୁଡ଼ିକ ଭାରତର ଉଭୟ ସାମରିକ ଓ ବେସାମରିକ ଅଞ୍ଚଳକୁ ଟାର୍ଗେଟ କରିଥିଲା। ତୁର୍କୀର ପଦକ୍ଷେପ ବିରୋଧରେ ଭାରତ ମଧ୍ୟ ତୁର୍କୀ ବିରୋଧରେ କେତେକ କଟକଣା ଜାରି କରିଛି। ତୁର୍କୀ ଜାତିସଂଘରେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହିତ ସ୍ବର ମିଳାଇ ବିଭ୍ରାନ୍ତି ସୃଷ୍ଟି କରୁଥିବାରୁ ଭାରତ ଏହାର ଜୋର୍ଦାର୍ ବିରୋଧ କରିଛି।