ନୂଆଦିଲ୍ଲୀ: ଭାରତ ମିଳିତ ଜାତିସଂଘ ସାଧାରଣ ଅଧିବେଶନ(ୟୁଏନ୍ଜିଏ)ରେ ପାଲେଷ୍ଟାଇନ୍ ପ୍ରସଙ୍ଗରେ ଏକ ପ୍ରସ୍ତାବକୁ ଶୁକ୍ରବାର ସମର୍ଥନ କରିଛି, ଯାହା ଦ୍ୱିରାଷ୍ଟ୍ର ସମାଧାନକୁ ସମର୍ଥନ କରିବା ସହ ଗାଜାରେ ଶାନ୍ତି ପାଇଁ ଆହ୍ୱାନ କରୁଛି। ଫ୍ରାନ୍ସ ଦ୍ୱାରା ଉପସ୍ଥାପିତ ଏହି ପ୍ରସ୍ତାବ ଇସ୍ରାଏଲ୍-ପାଲେଷ୍ଟାଇନ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ଦିଷ୍ଟ। ଏହି ପ୍ରସ୍ତାବ ଭାରତ ସମେତ ୧୪୩ଟି ଦେଶର ସମର୍ଥନ ପାଇଥିବା ବେଳେ ଇସ୍ରାଏଲ୍, ଆମେରିକା ପରି ୧୦ଟି ଦେଶ ଏହାକୁ ବିରୋଧ କରିଥିଲେ ଏବଂ ୧୨ଟି ଦେଶ ଭୋଟ୍ ଦେଇନଥିଲେ। ପ୍ରସ୍ତାବକୁ ଭାରତର ଦୃଢ଼ ସମର୍ଥନ ଏହାର ପାରମ୍ପରିକ ନୀତିର ପ୍ରତିଫଳନ କରୁଛି, ଯାହା ପାଲେଷ୍ଟାଇନ୍ ପ୍ରତି ସମର୍ଥନକୁ ପ୍ରାଥମିକତା ଦେଉଛି।
ଭାରତର ପାଲେଷ୍ଟାଇନ୍ ନୀତି ଐତିହାସିକ ଭାବେ ଦୃଢ଼ ରହିଆସିଛି। ସ୍ୱାଧୀନତା ପରେ ଭାରତ ପାଲେଷ୍ଟାଇନ୍ ଆନ୍ଦୋଳନକୁ ସମର୍ଥନ କରିଥିଲା ଏବଂ ଦ୍ୱିରାଷ୍ଟ୍ର ସମାଧାନ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲା। କିନ୍ତୁ ସମ୍ପ୍ରତି ବିଭିନ୍ନ ଅନିବାର୍ଯ୍ୟ କାରଣରୁ ଭାରତର ନୀତିରେ ପରିବର୍ତ୍ତନ ଦେଖାଦେଇଛି। ଇସ୍ରାଏଲ୍ ସହିତ ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୃଢ଼ ସମ୍ପର୍କ ହେତୁ ଭାରତ କେତେକ ମାମଲାରେ ନିରପେକ୍ଷ ରହିଥିଲା। ଜୁନ୍ ୨୦୨୫ରେ ଗାଜାରେ ଯୁଦ୍ଧବିରତି ପ୍ରସ୍ତାବରେ ଭାରତ ଭୋଟ୍ ଦେଇନଥିଲା, ଯାହାକୁ ବିରୋଧୀ ଦଳମାନେ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ନେତାମାନେ ଏହାକୁ ‘ନୈତିକ ପରାଜୟ’ ବୋଲି କହିଥିଲେ। କିନ୍ତୁ ଗତକାଲିର ଭୋଟ୍ ଭାରତର ପାରମ୍ପରିକ ସ୍ଥିତିକୁ ପୁନର୍ଜୀବିତ କରିଛି। ଏହା ଗାଜାର ମାନବୀୟ ସଙ୍କଟକୁ ଦୃଷ୍ଟିରେ ରଖି ନିଆଯାଇଥିବା ପଦକ୍ଷେପ ବୋଲି ବିଶ୍ଳେଷକମାନେ କହୁଛନ୍ତି।
ପାଲେଷ୍ଟାଇନ ଓ ଇସ୍ରାଏଲକୁ ନେଇ ଭାରତର ବିଦେଶ ନୀତିରେ ଏବେ ସନ୍ତୁଳନର ଯଥେଷ୍ଟ ପ୍ରୟାସ ଦେଖାଯାଉଛି। ଗୋଟିଏ ପଟେ ଇସ୍ରାଏଲ୍ ସହିତ ରଣନୀତିକ ସହଯୋଗ ରହିଛି, ଯାହା ଭାରତର ସୁରକ୍ଷା ପାଇଁ ଆବଶ୍ୟକ ଏବଂ ଅନ୍ୟପଟେ ଆରବ ବିଶ୍ୱ ଓ ବିକାଶଶୀଳ ଦେଶମାନଙ୍କ ସହିତ ସମ୍ପର୍କ ବଜାୟ ରଖିବା ପାଇଁ ପାଲେଷ୍ଟାଇନ୍କୁ ସମର୍ଥନର ଯଥାର୍ଥତା। ଭାରତର ମୁସଲିମ୍ ଜନସଂଖ୍ୟା ଏବଂ ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ଏହାକୁ ପ୍ରଭାବିତ କରୁଛି। ଗତକାଲିର ଭୋଟ୍ ଭାରତକୁ ବିଶ୍ୱ ମଞ୍ଚରେ ପାଲେଷ୍ଟାଇନ୍ ପ୍ରସଙ୍ଗରେ ଦୃଢ଼ ଭାବେ ପୁନଃସ୍ଥାପିତ କରିଛି। ଭାରତ କ୍ୱାଡ୍ ଏବଂ ବ୍ରିକ୍ସ ପରି ମଞ୍ଚରେ ମଧ୍ୟ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ପ୍ରସଙ୍ଗ ଉଠାଇପାରେ। ଯୁଦ୍ଧବିରତି ପରେ ପୁନର୍ନିର୍ମାଣରେ ମଧ୍ୟ ଭାରତର ଭୂମିକା ରହିପାରେ। ହମାସ୍ ପରି ଆତଙ୍କୀ ସଂଗଠନମାନଙ୍କୁ ବାଦ୍ ଦେଇ ଏକ ସାର୍ବଭୌମ ପାଲେଷ୍ଟାଇନ୍ ରାଷ୍ଟ୍ର ପାଇଁ ଭାରତର ସମର୍ଥନ ଏ କ୍ଷେତ୍ରରେ ନିର୍ଣ୍ଣାୟକ ହେବ ବୋଲି ଅନେକ ବରିଷ୍ଠ କୂଟନୀତିଜ୍ଞ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/fhfsfhshfs-2025-09-14-00-14-21.jpg)