ଟି୯୦ ଟ୍ୟାଙ୍କ୍‌ରେ ଲାଗିବ ସେଫ୍ଟି ଗିୟର୍‌; ଏହା ସାହାଯ୍ୟରେ ୪୫ ମିନିଟ୍‌ ପର୍ଯ୍ୟନ୍ତ ଜଳ ଭିତରେ ରହି ଳଢ଼େଇ କରିହେବ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଲଢୁଆ ଟି୯୦ ଟ୍ୟାଙ୍କ୍‌ରେ ପାଣି ତଳେ ନିଶ୍ୱାସ ନେବାରେ ସାହାଯ୍ୟ କରୁଥିବା ଉପକରଣ(ସେଫ୍ଟି ଗିୟର୍‌) ଲଗାଇବାର ଯୋଜନା କରୁଛନ୍ତି। ବନ୍ୟା ପରସ୍ଥିତି କିମ୍ବା ଜଳ ଜନିତ ଉପୁଜୁଥିବା ବାଧାକୁ ସାମ୍ନା କରି ଜରୁରୀକାଳିନ ସମୟରେ ଟ୍ୟାଙ୍କ୍‌ର ଚାଳକ ଓ ସହଯୋଗୀ ପାଣି ଭିତରେ ଟ୍ୟାଙ୍କ ଚଳାଇବା ବେଳେ ଏହି ଗିୟର୍‌ର ସହାୟତା ନେବେ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ଦ୍ୱାରା ଏହି ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଟି୯୦ ଟ୍ୟାଙ୍କ୍‌ର କ୍ରିୟୁଙ୍କ ପାଇଁ ସେଫ୍ଟି ଗିୟରର ଡିଜାଇନ୍‌ ଓ ବିକାଶ ପାଇଁ ମଞ୍ଜୁରୀ ମିଳିଛି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‌ଡିଓ)ର ଲ୍ୟାବ୍‌ ଡେବେଲ୍‌ ଦ୍ୱାରା ବିକଶିତ ଏହି ସେଫ୍‌ଟି ଗିୟର୍‌କୁ ଟ୍ୟାଙ୍କ୍‌ କ୍ରିୟୁମାନେ ବିଶେଷ କରି ପାଣିରେ ବୁଡ଼ି ଥିବା ସମୟରେ ବ୍ୟବହାର କରିପାରିବେ। ଏହି ଗିୟର୍‌ ବ୍ୟବହାର କରି କ୍ରିୟୁମାନେ ସାମ୍ନାରେ ଥିବା ପାଣିକୁ ଖାତିର ନକରି ଆଗକୁ ବଢ଼ିଚାଲିବେ। ପ୍ରାୟ ୫ ମିଟର୍‌ ପାଣି ଭିତରେ ଟି୯୦ ଟ୍ୟାଙ୍କ୍‌ର ଚାଲିବାର ସାମର୍ଥ୍ୟ ରହିଛି। ଏହି ଗିୟର୍‌ ପିନ୍ଧି ଯେକେହି ବି ୪୫ ମିନିଟ୍‌ ପର୍ଯ୍ୟନ୍ତ ପାଣି ତଳେ ରହିପାରିବେ।

ସମୟେ ସମୟେ ଏପରି ହୋଇଥାଏ ଗଭୀର ଭାବେ ଜଳ ଜମିଥିବା ହେତୁ ଟ୍ୟାଙ୍କ୍‌ର କିଛି ଉପକରଣ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥାଏ। ଜଳକୁ ପାର୍‌ କରି ସ୍ଥଳକୁ ଆସିବା ଅସମ୍ଭବ ହୋଇପଡ଼େ। ଫଳରେ ସେଠାରୁ ବାହାରିବା ପାଇଁ ଆଉ କୌଣସି ଉପାୟ ଦିଶିନଥାଏ। ଫଳରେ ମୁକ୍ତି ପାଇବା ସମ୍ଭବ ହୋଇନଥାଏ। ଏହି ପରିସ୍ଥିତିରେ ସେଫ୍‌ଟି ଗିୟର୍‌ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବ। ଏହା ସାହାଯ୍ୟରେ ବ୍ୟକ୍ତିବିଶେଷ ବାହାରକୁ ଆସିପାରିବେ।

ସମ୍ବନ୍ଧିତ ଖବର