ନୂଆଦିଲ୍ଲୀ: ଜୁନ୍‌ ସୁଦ୍ଧା ଭାରତର ତୃତୀୟ କୋଭିଡ୍‌ ଟିକା ‘କୋଭାଭାକ୍ସ’ ବ୍ୟାବହାର ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦାର ପୁନାୱାଲା କହିଛନ୍ତି। ଆମେରିକୀୟ କମ୍ପାନି ନୋଭାଭାକ୍ସ ସହ ସିରମ୍‌ ମିଳିତ ପ୍ରୟାସରେ ଭାରତରେ ଏହି ଟିକା ପ୍ରସ୍ତୁତ କରୁଛି ଏବଂ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆବେଦନ କରାଯାଇଛି। ନୋଭାଭାକ୍ସ ଦ୍ବାରା ବିକଶିତ କୋଭିଡ୍‌ ଟିକା ମହାମାରୀ କରୋନାଭୂତାଣୁ ବିରୋଧରେ ୮୯.୩ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏପରିକି ବ୍ରିଟେନ୍‌ରେ ଆବିର୍ଭୂତ ହୋଇଥିବା ନୂତନ ପ୍ରଜାତିର ଅଧିକ ସଂକ୍ରାମକ ରୂପାନ୍ତରିତ କରୋନାଭୂତାଣୁ ବିରୋଧରେ ମଧ୍ୟ ଏହି ଟିକା ବେଶ ସୁରକ୍ଷା ଯୋଗାଇପାରୁଛି ବୋଲି କୁହାଯାଇଛି।

Advertisment

ୟୁକେରେ ପରିଚାଳିତ ଟିକାର ନୈଦାନିକ ପରୀକ୍ଷଣରୁ ଏଭଳି ନିର୍ଯାସ ମିଳିପାରିଥିବା ନୋଭାଭାକ୍ସ ଦାବି କରିଛି। ସେହିପରି ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ନୂତନ ପ୍ରଜାତିର କରୋନାଭୂତାଣୁର ପ୍ରାଦୁର୍ଭାବ ଭିତରେ ଜାରି ରହିଥିବା ନୈଦାନିକ ପରୀକ୍ଷଣରୁ ଉକ୍ତ ଟିକା ୬୦ ପ୍ରତିଶତ ଫଳପ୍ରଦତା ପ୍ରଦର୍ଶନ କରିଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ୬ଟି ସ୍ଥାନରେ ଏହି ଟିକାର ପ୍ରସ୍ତୁତି ଚାଲିଛି।