ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୮ ହଜାର ଟପିଲା, ଦିନକରେ ୬୦ ମୃତ

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମଣ ସଂକ୍ରମଣ ସଂଖ୍ୟା ୨୮ ହଜାର ଟପିଯାଇଛି । ଏହା ସହିତ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୬୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ଏକଦିବସୀୟ ମୃତ୍ୟୁସଂଖ୍ୟା ବୋଲି କୁହାଯାଉଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ସୋମବାର ସଂଧ୍ୟା ସୁଦ୍ଧା ଭାରତର ମୋଟ ସଂକ୍ରମିତ ସଂଖ୍ୟା ୨୮,୩୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୧୩୨ ଥିବାବେଳେ ମୃତ୍ୟୁସଂଖ୍ୟା ୮୮୬ରେ ପହଞ୍ଚିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୬୩୬୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି । ଦେଶର ମୃତ୍ୟୁହାର ୩ ପ୍ରତିଶତରେ ସ୍ଥିର ଥିବାବେଳେ ଆରୋଗ୍ୟ ହାର ୨୨.୪୧ ପ୍ରତିଶତକୁ ବୃଦ୍ଧି ପାଇଛି ।
ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଦେଶର ୮୫ଟି ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ମାମଲା ଦେଖାଯାଇନାହିଁ । ସେହିପରି ୧୬ ଟି ଜିଲ୍ଲା, ଯେଉଁଠାରେ ପୂର୍ବରୁ ସଂକ୍ରମଣ ମାମଲା ଦେଖାଦେଇଥିଲା, ଗତ ୨୮ ଦିନରେ କୌଣସି ମାମଲା ଦେଖାଯାଇନାହିଁ ।
ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬୫୦ ଓ ମୃତ୍ୟୁସଂଖ୍ୟା ୩୫୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ପଛକୁ ଥିବା ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ୨୮୩୭ ଓ ମୃତ୍ୟୁସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର