ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୧ ରେ ପହଞ୍ଚିଲା, ମୃତ୍ୟୁସଂଖ୍ୟା ୧୧୧

ନୂଆଦିଲ୍ଲୀ : ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୧ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୮୫୧ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୧୧ ରହିଛି । ତେବେ ଏପର୍ଯ୍ୟନ୍ତ ଦେଶରେ ମୋଟ ୩୧୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟପକ୍ଷରୁ ସଂଧ୍ୟା ୬ଟା ସୁଦ୍ଧା ଜାରି ବୁଲେଟିନରେ କୁହାଯାଇଛି ।

ଦେଶରେ ଏପର୍ଯ୍ୟନ୍ତ ଦେଖାଯାଇଥିବା କରୋନା ସଂକ୍ରମିତ ଓ ମୃତକଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ସର୍ବାଧିକ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଥିଲେ । ସେ କହିଥିଲେ ଯେ ଦେଶର ମୋଟ କରୋନା ମାମଲା ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା । ଏଣୁ ଏଥରୁ ସ୍ପଷ୍ଟ ଯେ କରୋନା ଭାଇରସ ଦ୍ୱାରା ପୁରୁଷମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ।

ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୭୦,୬୩୧ରେ ପହଞ୍ଚିଛି । ସୁଖର କଥା ହେଉଛି ସମଗ୍ର ବିଶ୍ୱରେ ପ୍ରାୟ ୨ ଲକ୍ଷ ୭୨ ହଜାର ଲୋକ ଆରୋଗ୍ୟଲାଭ କରିଛନ୍ତି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୯୬୬୪ ରେ ପହଞ୍ଚିଛି । ଇଟାଲିରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୮ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୫୮୮୭ ରେ ପହଞ୍ଚିଛି । ସ୍ପେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୩୦୫୫ ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର