ପାକିସ୍ତାନର କାଶ୍ମୀର ଟିପ୍ପଣୀ ନେଇ ଭାରତର କଡ଼ା ଜବାବ: ଆତଙ୍କବାଦ ବନ୍ଦ ହେଲେ ହିଁ କଥାବାର୍ତ୍ତା

ଅପକର୍ମ ଲୁଚାଇବାକୁ ପାକିସ୍ତାନ ବିଭ୍ରାନ୍ତିର ରାସ୍ତା ଧରିଛି

ନ୍ୟୁୟର୍କ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଶନିବାର ୟୁଏନ୍‌ଜିଏ (ଜାତିସଂଘ ସାଧାରଣ ପରିଷଦ) ଉଦ୍‌ବୋଧନରେ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଭାରତକୁ ଦୋଷାରୋପ କରିଥିବାରୁ ଭାରତ ଏହାର ଜୋରଦାର ବିରୋଧ କରିଛି। ଜାତିସଂଘରେ ଭାରତୀୟ କୂଟନୀତିଜ୍ଞ ଶନିବାର ଦିନ ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ କଡ଼ା ଜବାବ ଦେଇଛନ୍ତି।

ଭାରତ କହିଛି, ପାକିସ୍ତାନ କେବଳ ନିଜ ଅପର୍କକୁ ଲୁଚାଇବା ପାଇଁ ଜାତିସଂଘ ମଞ୍ଚର ଦୁରୁପଯୋଗ କରୁଛୁ। ପଡ଼ୋଶୀ ରାଷ୍ଟ୍ର ସହ ଶାନ୍ତି ରକ୍ଷା କରିବାକୁ ଚାହୁଛି ବୋଲି ଦାବି କରୁଥିବା ପାକିସ୍ତାନ ସୀମାପାର ଆତଙ୍କବାଦ ପାଇଁ ଲଗାତାର ପାଣ୍ଠି ଯୋଗାଣ କରୁଛି। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାଠାରୁ ଆରମ୍ଭ କରି ଆତଙ୍କବାଦୀ ସଂଗଠନଗୁଡ଼ିକୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ନିୟୋଜିତ କରିବା ପାଇଁ ପାକିସ୍ତାନ ଅହରହ କାମ କରୁଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ମିସନ୍‌ର ପ୍ରଥମ ସଚିବ ମିଜିତୋ ବିନିତୋ କହିଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘ ମଞ୍ଚରେ ଭାରତ ବିରୋଧରେ ଅଭିଯୋଗ ଆଣିବା ହାସ୍ୟାସ୍ପଦ ବୋଲି ସେ ମତ ରଖିଛନ୍ତି। ନିଜ ଦେଶରେ ଚାଲିଥିବା ଅପକର୍ମକୁ ଲୁଚାଇବାପାଇଁ ହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଅଭିଯୋଗ ଆଣିଥିଲେ। ଏଭଳି ଅଭିଯୋଗକୁ ବିଶ୍ବ କଦାପି ଗ୍ରହଣ କରିବ ନାହିଁ ବୋଲି ଆଜି ବିନିତୋ କହିବା ସହ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ଅତ୍ୟାଚାର ସଂକ୍ରାନ୍ତସେ ସେ ପୁଣିଥରେ ମନେ ପକାଇ ଦେଇଥିଲେ।

ଶୁକ୍ରବାର ଜାତିସଂଘରେ ଉଦ୍‌ବୋଧନ ‌ଦେଇ ସରିଫ୍‌ କହିଥିଲେ ଯେ ପାକିସ୍ତାନ ଭାରତ ସହ ଶାନ୍ତି ଚାହୁଥିଲେ ମଧ୍ୟ ଭାରତ ଏ ଦିଗରେ ସକରାତ୍ମକ ପଦକ୍ଷେପ ନେଉନାହିଁ। ଜାତିସଂଘ ସୁରକ୍ଷା ପରିଷଦ ନିୟମ ଅଧୀନ‌ରେ କାଶ୍ମୀର ପ୍ରସଙ୍ଗର ସମାଧାନ ହେଲେ ହିଁ ଶାନ୍ତି ଫେରିପାରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର