ଶେଷ କାର୍ଯ୍ୟ ଦିବସରେ ‘ନମସ୍ତେ’ କହି ବିଦାୟ ନେଲେ ଭାରତର ଜାତିସଂଘ ରାଷ୍ଟ୍ରଦୂତ ସୟେଦ୍ ଅକବରୁଦ୍ଦିନ୍

ନୂଆଦିଲ୍ଲୀ: ଜାତିସଂଘକୁ ଭାରତର ରାଷ୍ଟ୍ରଦୂତ ସୟେଦ୍ ଅକବରୁଦ୍ଦୀନ୍‌ଙ୍କର ଆଜି ଶେଷ କାର୍ଯ୍ୟ ଦିବସ। ଏହି ଅବସରରେ ସେ ଟୁଇଟ୍ କରି ଏକ ଭିଡିଓ ସେୟାର୍ କରିଛନ୍ତି। ଏଥିରେ ଦେଖାଯାଉଛି ସେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ କରୁଛନ୍ତି ଏବଂ ‘ନମସ୍ତେ’ କହି ବିଦାୟ ନେଉଛନ୍ତି।

ଟୁଇଟ୍ କରି ସେ ଲେଖିଛନ୍ତି, ଅସ୍ବାଭାବିକ ଭାବେ ଅବସର ଗ୍ରହଣ ବେଳା ଉପଗତ। ଏଥିରେ ସଂଯୋଗ ହୋଇଥିବା ଭିଡିଓରେ ଦେଖାଯାଉଛି ଅକବରୁଦ୍ଦିନ୍ ହାତ ଯୋଡ଼ିଛନ୍ତି ଏବଂ ‘ନମସ୍ତେ’ର ମହତ୍ତ୍ବ ବୁଝାଇ ଦେଉଛନ୍ତି।

Image Source: Livemint

ଅକବରୁଦ୍ଦିନ୍ କହିଛନ୍ତି, ବିଦାୟ ନେବା ବେଳେ କିଂବା ଭେଟିବା ବେଳେ ଆମେ ‘ହେଲୋ’ କିଂବା ‘ଥ୍ୟାଙ୍କସ୍’ କହୁ ନାହିଁ। ଆମେ କହୁ ‘ନମସ୍ତେ’। ଆଜି ମୋର କାର୍ଯ୍ୟକାଳ ସରୁଥିବାରୁ ମୁଁ ‘ନମସ୍ତେ’ କହୁଛି।

ଏହା ଶୁଣି ଗୁଟେରସ୍ ମୃଦୁ ହସିବା ସହ ପ୍ରତିବାଦନରେ ‘ନମସ୍ତେ’ ବୋଲି କହୁଛନ୍ତି।

୧୯୮୫ ବ୍ୟାଚ୍‌ର ଇଣ୍ଡିଆ ଫରେନ୍ ସର୍ଭିସ୍ ଅଫିସର୍ ଅକବରୁଦ୍ଦିନ୍ ୨୦୧୬ ଜାନୁଆରି ମାସରୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ଅବସ୍ଥାପିତ ହୋଇଥିଲେ। ତାଙ୍କ ସ୍ଥାନରେ ସମ୍ପ୍ରତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ଥିବା ଟି ଏସ୍ ତ୍ରିମୂର୍ତ୍ତି ସେଠାରେ ଅବସ୍ଥାପିତ ହେବେ।

 

ସମ୍ବନ୍ଧିତ ଖବର