ଦେଶର ବେକାରୀ ହାର ଲକଡାଉନ ପୂର୍ବସ୍ତରକୁ ଫେରିଲା, ସରକାର ଆଶ୍ୱସ୍ତ

ନୂଆଦିଲ୍ଲୀ : ଦେଶର ବେକାରୀ ହାର ଲକଡାଉନ ପୂର୍ବ ସ୍ତରକୁ ଫେରିଯାଇଛି । ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ)ର ରିପୋର୍ଟ ଅନୁସାରେ ଜୁନ ୨୧ରେ ସମାପ୍ତ ସପ୍ତାହରେ ଦେଶର ବେକାରୀ ହାର ୮.୫ ପ୍ରତିଶତରେ ପହଞ୍ଚିଛି । ଏପ୍ରିଲ ଓ ମେ ମାସରେ ଲକଡାଉନ ଚାଲିଥିବାବେଳେ ଦେଶର ବେକାରୀ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

ସିଏମଆଇଇର ରିପୋର୍ଟ ଅନୁସାରେ ମେ ୨୪ ସମାପ୍ତ ସପ୍ତାହରେ ଭାରତର ବେକାରୀ ହାର ୨୪.୩ ପ୍ରତିଶତରେ ପହଞ୍ଚିଥିଲା । ତା ପୂର୍ବ ସପ୍ତାହରେ ଏହା ୨୪ ପ୍ରତିଶତ ଥିଲା । ଲକଡାଉନ ହୋଇଥିବା ୮ ସପ୍ତାହରେ ଭାରତର ବେକାରୀ ହାର ହାରାହାରି ୨୪.୨ ପ୍ରତିଶତ ରହିଥିଲା । ଲକଡାଉନ ପୂର୍ବରୁ ମାର୍ଚ୍ଚ ମାସରେ ଏହା ୮.୮ ପ୍ରତିଶତ ଥିଲା । ହାରାହାରି ଭାବେ ଏପ୍ରିଲରେ ଦେଶର ବେକାରୀ ହାର ୨୭ ପ୍ରତିଶତ ଥିବାବେଳେ ମେ ମାସରେ ତାହା ୨୯ ପ୍ରତିଶତକୁ ବୃଦ୍ଧି ଥିଲା । ଏଣୁ ଜୁନ ୩ୟ ସପ୍ତାହରେ ବେକାରୀ ହାର କମିବା ସରକାରଙ୍କୁ ଆଶ୍ବସ୍ତ କରିବା ଆଶା କରାଯାଉଛି ।
ତେବେ ସହରାଞ୍ଚଳରେ ବେକାରୀ ହାର ଏବେବି ଚିନ୍ତାର କାରଣ ରହିଛି । ଜୁନ ୩ୟ ସପ୍ତାହରେ ତାହା ୧୧.୨ ପ୍ରତିଶତ ରହିଛି । ତେବେ ଗ୍ରାମାଞ୍ଚଳରେ ଏହା ୭.୨୬ ପ୍ରତିଶତକୁ ହ୍ରାସ ପାଇଛି । ମନରେଗା ଓ ଖରିଫ ଫସଲ ଯୋଗୁଁ ଗ୍ରାମାଞ୍ଚଳରେ ବେକାରୀହାର କମିଥିବା ଏହି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର