ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି), ବେଙ୍ଗାଲୁରୁ ଦ୍ବାରା ବିକଶିତ ‘ଉଷ୍ମ’ (ତାପସହନଶୀଳ) କୋଭିଡ୍-୧୯ ଟିକା ସାର୍ସ-କୋଭ୍-୨ର ଡେଲ୍ଟା ସମେତ ସବୁ ଭାରିଆଣ୍ଟ ଉପରେ ଫଳପ୍ରଦ ହେଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗୁରୁବାର ଏସଇଏସ୍ ଇନ୍ଫେକ୍ସିଅସ୍ ଡିଜିଜେସ୍ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ସନ୍ଦର୍ଭ ଅନୁସାରେ ବାୟୋଟେକ୍ ଷ୍ଟାର୍ଟ-ଅପ୍ ମିନ୍ଭାକ୍ସର ସହଯୋଗରେ ଆଇଆଇଏସ୍ସି ନୂତନ ସୂତ୍ର ଅନୁଯାୟୀ ପ୍ରସ୍ତୁତ କରିଥିବା ଏହି ଟିକା ମୂଷା ଉପରେ ଫଳପ୍ରଦ ହୋଇଛି।
ଏହି ଟିକା ୩୭ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ଏକମାସ ପର୍ଯ୍ୟନ୍ତ ଏବଂ ୧୦୦ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ୯୦ ମିନିଟ୍ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରୁଛି। ତେଣୁ ଏହାକୁ ଉଷ୍ମ ଟିକା ବୋଲି କୁହାଯାଉଛି। ଗବେଷକମାନେ କହିଛନ୍ତି ଯେ ଅଧିକାଂଶ ଟିକା ରେଫ୍ରିଜରେସନ୍ ବିନା ଫଳପ୍ରଦ ହୋଇ ରହିପାରନ୍ତି ନାହିଁ। ଉଦାହରଣ ସ୍ବରୂପ କୋଭିସିଲ୍ଡ ଟିକାକୁ ୨ରୁ ୮ ଡିଗ୍ରୀ ଭିତରେ ରଖିବାକୁ ପଡ଼େ ଏବଂ ଫାଇଜର ଟିକା ପାଇଁ ମାଇନସ୍ ୭୦ ଡିଗ୍ରୀର ତାପମାତ୍ରା ଦେଇପାରୁଥିବା ସ୍ବତନ୍ତ୍ର ରେଫ୍ରିଜରେଟର ଦରକାର ପଡ଼େ। ନ ହେଲେ ଏ ଟିକା ନଷ୍ଟ ହୋଇଯାଏ। କିନ୍ତୁ ଭାରତୀୟ ନୂତନ ଉଷ୍ମ ଟିକା ପାଇଁ କୌଣସି ରେଫ୍ରିଜରେଟରର ଆବଶ୍ୟକତା ନାହିଁ। ଏହା ବିଜ୍ଞାନାଗାର ପରୀକ୍ଷାରେ ସଫଳ ହୋଇଥିବା ବେଳେ କେବଳ ମାନବ ପରୀକ୍ଷଣ ବାକି ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine-addd.jpeg)