ଵାସିଂଟନ: ସାମ୍ପ୍ରତିକ ସ୍ଥିତିରେ ଭାରତର ମଙ୍ଗଳ ହିଁ ଆମେରିକା ପାଇଁ ଅତୀବ ଗୁରୁତ୍ବପୂର୍ଣ୍ଣ ବୋଲି ଉପରାଷ୍ଟ୍ରପତି କମଳା ହାରିସ କହିଛନ୍ତି। ଚଳିତ ମହାମାରୀରେ ଭାରତରେ ପ୍ରାଣ ହରାଇଥିବା ନାଗରିକଙ୍କ ପାଇଁ ସେ ଶୋକ ପ୍ରକାଶ କରିବା ସହ ବାଇଡେନ୍ ପ୍ରଶାସନ ଯୋଗାଇ ଦେଇଥିବା ପ୍ରାୟ ୧୦ କୋଟି ଡଲାରର ବିଭିନ୍ନ ସହାୟତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଭାରତରେ ସମ୍ପ୍ରତି ଜାରି ରହିଥିବା କୋଭିଡ୍-୧୯ର ପ୍ରାଦୁର୍ଭାବ କୌଣସି ହୃଦୟ ବିଦାରକ ବିଭୀଷିକାଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି। ଏଭଳି ସଂକଟଜନକ ସ୍ଥିତିରେ ଆମେରିକା ୟାବତୀୟ ସହାୟତା ଯୋଗାଇଦେବାକୁ ଅଙ୍ଗୀକାରବଦ୍ଧ ବୋଲି ସେ ଉଲ୍ଲେଖ କରିବା ସହ ଏଥିପାଇଁ ଆମେରିକାର ସାଧାରଣ ନାଗରିକମାନେ ମଧ୍ୟ ବ୍ୟାପକ ଉଦ୍ୟମ ଚଳାଇଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଆମେରିକା କୋଭିଡ୍ ଟିକା ଉପରୁ ନିଜର କଟକଣା ହଟାଇନେବା ସହ ଭାରତକୁ ବିପୁଳ ପରିମାଣର ଟିକା ପଠାଇବାକୁ ନିଷ୍ପତ୍ତି ନେଇଥିବା କମଳା ସୂଚନା ଦେଇଛନ୍ତି।
ଗତବର୍ଷ ମହାମାରୀର ପ୍ରାରମ୍ଭିକ ଉପଦ୍ରବ ସମୟରେ ଆମେରିକାର ଡାକ୍ତରଖାନାଗୁଡ଼ିକ ଭୀଷଣ ଚାପଗ୍ରସ୍ତ ହୋଇପଡ଼ିଥିବା ବେଳେ ଭାରତ ସହାୟତା ଯୋଗାଇ ନିଜ ମହାନୁଭବତାକୁ ପ୍ରମାଣିତ କରିଥିଲା। ଏବେ ଆମେରିକାକୁ ଭାରତ ପ୍ରତି ଅନୁରୂପ ବନ୍ଧୁତା ପ୍ରଦର୍ଶନ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/mvis23h8_kamala-harris.jpg)