ନୂଆଦିଲ୍ଲୀ : ଭାରତୀୟ ସ୍ଥଳ ସେନା ପ୍ରଥମ ଥର ପାଇଁ ଜାତିସଂଘ ମିସନ ପାଇଁ ଏକ ବିଶାଳ ମହିଳା ଶାନ୍ତି ରକ୍ଷାକାରୀ ଦଳ ପଠାଇଛି। ଆଫ୍ରିକାରେ ଜାତିସଂଘର ଶାନ୍ତିରକ୍ଷା ଅପରେସନ୍‌ରେ ଏହି ମହିଳା ସୈନିକ ଦଳ ମୁତୟନ ହୋଇଛନ୍ତି। ଉକ୍ତ ଶାନ୍ତିରକ୍ଷାକାରୀ ଦଳରେ ୨ ଜଣ ଅଫିସର ଏବଂ ୨୫ ଜଣ ଅନ୍ୟ ରୢାଙ୍କ୍‌ର ମହିଳା ସୈନିକ ଅଛନ୍ତି। ଜାତିସଂଘର ଏହି ଏଫଇଟି (ଫିମେଲ ଏନ‌ଗେଜମେଣ୍ଟ ଟିମ୍‌) ବିଭିନ୍ନ ଜଟିଳ ସ୍ଥିତିରେ ସ୍ଥାନୀୟ ମହିଳା ଏବଂ ଶିଶୁମାନଙ୍କୁ ରିଲିଫ୍‌ ଦେବେ ଏବଂ ସହଯୋଗ କରିବେ।

Advertisment

ତେବେ ପ୍ରଥମ ଥର ପାଇଁ ଜାତିସଂଘରେ ଏତେ ସଂଖ୍ୟାରେ ମହିଳା ଶାନ୍ତିରକ୍ଷାକାରୀ ଦଳ ମୁତୟନ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଏକ ଟ୍ବିଟ୍‌ କରିଛନ୍ତି। ମୋଦୀ କହିଛନ୍ତି, ଏହା ଦେଖି ମୁଁ ଖୁବ୍‌ ଗର୍ବିତ। ଜାତିସଂଘ ପିସକିପିଙ୍ଗ ମିସନ୍‌ରେ ଭାରତର ସକ୍ରିୟ ଅଂଶଗ୍ରହଣର ଏକ ପରମ୍ପରା ରହିଛି। ଆମ ‘ନାରୀ ଶକ୍ତି’ ଦ୍ବାରା ଏହି ଅଂଶଗ୍ରହଣ ଖୁବ୍‌ ଉତ୍ସାହଜନକ ରହିଛି।