ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ‘ମାର୍କ-୧ଏ’ ଲଢ଼ୁଆ ବିମାନ ଯୋଗାଇବା ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ମହାରାଷ୍ଟ୍ରର ନାସିକରେ ଏହାର ତୃତୀୟ ଉତ୍ପାଦନ ୟୁନିଟ୍‌ ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରଥମ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ଶୁକ୍ରବାର ନାସିକର ଓଝରରେ ପ୍ରଥମ ଉଡ଼ାଣ ଭରିଥିଲା। ଏହି ଉତ୍ପାଦନ ୟୁନିଟ୍‌ ମାଧ୍ୟମରେ ହାଲ୍ ଭାରତୀୟ ବାୟୁସେନାକୁ ୨୦୩୨-୩୩ ସୁଦ୍ଧା ୧୮୦ଟି ତେଜସ୍ ବିମାନ ଯୋଗାଇବ। ବର୍ତ୍ତମାନ ଏଠାରେ ୮ଟି ଲଢୁଆ ବିମାନ ନିର୍ମାଣ କରାଯାଉଛି, ଯାହାକୁ ୧୦କୁ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି।
ତେଜସ୍ ଯୁଦ୍ଧ ବିମାନର ବିଶେଷତ୍ୱ ହେଉଛି ଏହାର ଡେଣାର ୯ଟି ସ୍ଥାନରେ କ୍ଷେପଣାସ୍ତ୍ର ଖଞ୍ଜାଯିବାର ବ୍ୟବସ୍ଥା ରହିଛି। ମିଳିଥିବା ସୂଚନା ମୁତାବକ, ତେଜସ୍ ମାର୍କ-୧ଏର ହାରାହାରି ମୂଲ୍ୟ ୬୦୦ କୋଟି ଟଙ୍କା। ଏହି ଯୁଦ୍ଧ ବିମାନର ବେଗ ଘଣ୍ଟା ପ୍ରତି ୨୨୦୫ କିମି, ଯାହା ଶବ୍ଦଠାରୁ ପ୍ରାୟ ଦୁଇଗୁଣ ଦ୍ରୁତ। ଏହାର ଉତ୍ପାଦନ ଦେଶର ୫୦୦ରୁ ଅଧିକ ଘରୋଇ କମ୍ପାନି ମିଳିତ ଭାବେ କରିଛନ୍ତି। ଏଥିପାଇଁ ଏହାକୁ ସ୍ୱଦେଶୀ ତେଜସ୍ ମଧ୍ୟ କୁହାଯାଉଛି।

Advertisment

ଅଗଷ୍ଟ ୧୯ ତାରିଖରେ କେନ୍ଦ୍ର ସରକାର ୯୭ଟି ତେଜସ୍ ଯୁଦ୍ଧ ବିମାନ କିଣିବା ପାଇଁ ବାୟୁସେନାକୁ ସବୁଜ ସଙ୍କେତ ଦେଇଥିଲେ। ଏହା ପରେ ସେପ୍ଟେମ୍ବର ୨୫ ତାରିଖରେ ପ୍ରତିରକ୍ଷା ମନ୍ତ୍ରାଳୟ ହାଲ୍‌କୁ ଠିକା ଦେଇଥିଲା। କେନ୍ଦ୍ର ସରକାର ହାଲ୍ ସହିତ ୬୨,୩୭୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପାକିସ୍ତାନ ସୀମା ନିକଟ ରାଜସ୍ଥାନ ବିକାନିରସ୍ଥିତ ନାଲ ଏୟାର୍‌ବେସ୍‌ରେ ଏହାକୁ ମୁତୟନ କରାଯିବାର ଯୋଜନା ରହିଛି। ତେଜସ୍ ମାର୍କ-୧ଏର ୬୫ ପ୍ରତିଶତରୁ ଅଧିକ ଉପକରଣ ଭାରତରେ ହିଁ ତିଆରି ହୋଇଛି। ମାର୍କ ୧ଏ ହେଉଛି ଏକକ ଇଞ୍ଜିନ୍ ବିଶିଷ୍ଟ ତେଜସ୍ ବିମାନର ଏକ ଉନ୍ନତ ସଂସ୍କରଣ। ଏହା ଏକ ଚତୁର୍ଥ ପିଢିର ହାଲୁକା ଯୁଦ୍ଧ ବିମାନ, ଯାହା କମ୍ ଓଜନ ହେତୁ ଅତ୍ୟନ୍ତ ଦ୍ରୁତଗାମୀ। ଏଥିରେ ଉନ୍ନତ ଏଭିଓନିକ୍ସ ଓ ରାଡାର୍‌ ସିଷ୍ଟମ ଲଗାଯାଇଛି। ତେଜସ୍‌ର ପୁରୁଣା ସଂସ୍କରଣ ମଧ୍ୟ ହାଲ୍ ଦ୍ୱାରା ବିକଶିତ କରାଯାଇଛି। ଏରୋନଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ଓ ଡିଆରଡିଓ ସହାୟତାରେ ଏହାକୁ ନିର୍ମାଣ କରାଯାଇଛି। ଏହା ବାୟୁ, ଜଳ ଓ ଭୂପୃଷ୍ଠ ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଛି।