ଦେଶୀ ସୁପରବଗ୍ ଆଣ୍ଟିବାୟୋଟିକ୍ ମହିଳାଙ୍କ ଜୀବନ ବଞ୍ଚାଇଲା

ମୁମ୍ବାଇ : ଜଣେ ନେପାଳୀ ନାଗରିକ ତଳିପେଟର ପ୍ଲାଷ୍ଟିକ ସର୍ଜରି (ଆବ୍‌ଡୋମିନୋପ୍ଲାଷ୍ଟି) କରାଇବାକୁ ଲକ୍ଷ୍ନୌ ଆସିଥିଲେ। କିନ୍ତୁ ସେ ସୁପରବଗ୍ (ଆଣ୍ଟିବାୟୋଟିକ୍ସକୁ ମାନୁ ନ ଥିବା ଜୀବାଣୁ) ସଂକ୍ରମଣର ଶିକାର ହେଲେ। ଏବେ ବି ୟୁରୋପରେ କ୍ଳିନିକାଲ ଟ୍ରାୟଲର ଅଧୀନ ଥିବା ତଥା ଔରଙ୍ଗାବାଦ ଲାବୋରେଟୋରିରେ ବିକଶିତ ଏକ ଦେଶୀ ଆଣ୍ଟିବାୟୋଟିକ୍ସ ଯୋଗୁ ତାଙ୍କର ଜୀବନ ବଞ୍ଚିଯାଇଛି। ଔଷଧଟିର ନାଁ ହେଉଛି ଡବ୍ଲୁସିକେ୫୨୨୨। ଏହାକୁ ଗବେଷଣାଧୀନ ଏକ ଉତ୍ତମ ଆଣ୍ଟିବାୟୋଟିକ୍ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମତ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ନେପାଳର ୫୦ ବର୍ଷୀୟା ମହିଳା ଜଣକ ସର୍ଜରି କରାଇବାର ଦୁଇଦିନ ପରେ ଜ୍ବର ଓ ଫୁସ୍‌ଫୁସ୍ ସଂକ୍ରମଣର ଶିକାର ହୋଇଥିଲେ। ତା’ର କିଛିଦିନ ପରେ ତାଙ୍କ ଯକୃତ ଓ କିଡ୍‌ନୀ ବି ପ୍ରଭାବିତ ହୋଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ସିଉଡ଼ୋମୋନାସ ଏରୁଜିନୋସା ନାମକ ବୀଜାଣୁ ସଂକ୍ରମଣର କାରଣ ହୋଇଥିବା ବେଳେ ଏହା ଉପରେ କୋଲିଷ୍ଟିନ୍ ଛଡ଼ା ଅନ୍ୟ କୌଣସି ଆଣ୍ଟିବାୟୋଟିକ୍ କାମ କରି ନ ଥାଏ। କିଛିଦିନ ପରେ କୋଲିଷ୍ଟିନ୍ ବି କାମ କଲାନି। ଭାଗ୍ୟ ଭଲ, ନେପାଳୀ ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କର ଡବ୍ଲୁସିକେ୫୨୨୨ କଥା ମନେପଡ଼ିଗଲା ଯାହା ସେ ଏକ ରିସର୍ଚ୍ଚ ପେପରରେ ପଢ଼ିଥିଲେ। ସେ କହିଲେ ମହିଳାଙ୍କ ପରିବାର ଭାରତର ଔଷଧ ମହାନିୟାମକ (ଡିସିଜିଆଇ)ର ଅନୁମତି ନେଇ କମ୍ପାନିକୁ ଉକ୍ତ ଔଷଧ ପାଇଁ ଆବେଦନ କରନ୍ତୁ। ୨ ଦିନ ଭିତରେ ତାଙ୍କୁ ଡିସିଜିଆଇରୁ ଅନୁମତି ମିଳିଲା ଏବଂ ୫ ଦିନରେ ତାଙ୍କର ରୋଗ ଭଲ ହୋଇଯାଇଥିଲା। କିନ୍ତୁ ନିୟମାନୁଯାୟୀ ତାଙ୍କୁ ୧୦ ଦିନର କୋର୍ସ ସମ୍ପୂର୍ଣ୍ଣ କରିବାକୁ ପଡ଼ିଲା। ସେପ୍ଟେମ୍ବର ୧୨ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଗଲା। ଏହାପରେ ଚେକ୍ ଅପ୍ କରାଇବା ପାଇଁ ୫ ଥର ତାଙ୍କୁ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲକୁ ଆସିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର