ମହଙ୍ଗା ପଡ଼ିଲା ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଦୁର୍ବ୍ୟବହାର କରିବା, କୁନାଲ କାମ୍ରାଙ୍କ ଉପରେ ନିଷେଧାଜ୍ଞା ଲଗାଇଲେ ବିମାନ କମ୍ପାନି

ନୂଆଦିଲ୍ଲୀ : ଏକ ଚଳନ୍ତା ବିମାନରେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅପଶବ୍ଦ କହିଥିବା ଓ ଧମକଚମକ ଦେବା ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମ୍ରାଙ୍କ ପାଇଁ ମହଙ୍ଗା ପଡ଼ିଛି ।

କୁନାଲଙ୍କ ଏହି କାର୍ଯ୍ୟକୁ ବେଶ ଗୁରୁତ୍ୱର ସହ ନେଇଛି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ । ଏହା ଦ୍ୱାରା ବିମାନରେ ଥିବା ଯାତ୍ରୀମାନଙ୍କ ଜୀବନ ପ୍ରତି ସେ ବିପଦ ସୃଷ୍ଟି କରିଛନ୍ତି ବୋଲି ମନ୍ତ୍ରାଳୟ ଅନୁଭବ କରୁଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଇଣ୍ଡିଗୋ ସମେତ ବିଭିନ୍ନ ବିମାନସେବା କମ୍ପାନି ତାଙ୍କ ଉପରେ ନିଷେଧାଜ୍ଞା ଲଗାଇଛନ୍ତି । ଇଣ୍ଡିଗୋ ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ କୁନାଲଙ୍କ ବ୍ୟବହାର ଗ୍ରହଣୀୟ ନଥିଲା । ଏଣୁ ତାଙ୍କୁ ୬ ମାସ ପାଇଁ ଇଣ୍ଡିଗୋ ବିମାନରେ ଚଢିବାକୁ ଦିଆଯିବ ନାହିଁ । ସେହିପରି ଗୋଏୟାର, ଏୟାର ଇଣ୍ଡିଆ ଓ ସ୍ପାଇଶଜେଟ୍‌ ମଧ୍ୟ କୁନାଲଙ୍କ ଉପରେ ନିଷେଧାଜ୍ଞା ଲଗାଇଛନ୍ତି ।

 

ଗତକାଲି ଅର୍ଣ୍ଣବ ଗୋସ୍ୱାମୀ ଇଣ୍ଡିଗୋ ଫ୍ଲାଇଟରେ ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବାବେଳେ କୁନାଲ ତାଙ୍କ ସିଟ ନିକଟକୁ ଆସି ତାଙ୍କୁ ଦୁର୍ବ୍ୟବହାର ଓ ଧମକଚମକ ଦେଇଥିଲେ । ଏହା ସତ୍ତ୍ୱେ ଅର୍ଣ୍ଣବ ବେଶ ଶାନ୍ତ ରହିବା ସହ ତାହାର କୌଣସି ଜବାବ ଦେଇନଥିଲେ । ତେବେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବାପରେ ଇଣ୍ଡିଗୋ ଅନ୍ୟ ବିମାନସେବା କମ୍ପାନିମାନେ କୁନାଲଙ୍କ ଉପରେ ନିଷେଧାଜ୍ଞା ଲଗାଇଛନ୍ତି ।

ସମ୍ବନ୍ଧିତ ଖବର