ମୁମ୍ବାଇ: ବିମାନ ଚଳାଇଲା ବେଳେ ସାଥିରେ ‘କିର୍ପାନ୍’ ନେବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଘରୋଇ ବିମାନ ଚଳାଚଳ ସଂସ୍ଥାନ ‘ଇଣ୍ଡିଗୋ’ର ଜଣେ ପାଇଲଟ୍ ବମ୍ବେ ହାଇକୋର୍ଟରେ ନିବେଦନ କରିଛନ୍ତି।
ସୂଚନାଯୋଗ ‘କିର୍ପାନ୍’ ବା ‘କୃପାଣ’ ହେଉଛି ଭୁଜାଲି ଭଳି ବଙ୍କୁଲି ହୋଇଥିବା ଗୋଟାଏ ଛୁରି। ‘ଶିଖ୍ ଖାଲ୍ସା’ର ୫ଟି ବିଶେଷ ସଙ୍କେତ ଭାବେ କେତେକ କ୍ଷୁଦ୍ର ‘କିର୍ପାନ୍’ଟିଏ ପଗଡ଼ି ଭିତରେ ରଖିଥାଆନ୍ତି।
‘ଇଣ୍ଡିଗୋ’ ପରିଚାଳନା କରୁଥିବା ‘ଇଣ୍ଟର୍ଗ୍ଲୋବ୍ ଆଭିଏସନ୍’ର ଅଙ୍ଗଦ ସିଂହ ନାମକ ଉକ୍ତ ପାଇଲଟ୍ ହାଇକୋର୍ଟଙ୍କ ନାଗପୁର ବେଞ୍ଚ୍ରେ ଫାଇଲ୍ କରିଥିବା ‘ପିଟିସନ୍’ରେ ଲେଖିଛନ୍ତି ଯେ, ଭାରତୀୟ ସମ୍ବିଧାନର ଧାରା ୨୫ରେ ପ୍ରଦତ୍ତ ‘ଧାର୍ମିକ ସ୍ବାଧୀନତା’ ଅନୁଯାୟୀ ସାଥିରେ ‘କିର୍ପାନ୍’ ନେବା ହେଉଛି ତାଙ୍କର ଅଧିକାର।
ଅଙ୍ଗଦଙ୍କ ଆବେଦନର ଶୁଣାଣି କରି ଡିଭିଜନ୍ ‘ବେଞ୍ଚ୍’ର ବିଚାରପତି ନୀତିନ୍ ସାମ୍ବ୍ରେ ଓ ଅଭୟ ମନ୍ତ୍ରୀ ସୋମବାର ଦିନ କେନ୍ଦ୍ର ସରକାର ଓ ସମ୍ପୃକ୍ତ ଏୟାର୍ଲାଇନ୍ଠାରୁ ଜବାବ ତଲବ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୪ ଜାନୁଆରି ୨୯ ତାରିଖରେ କରାଯିବ ବୋଲି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।
ଅଙ୍ଗଦଙ୍କ ଓକିଲ ସାହିଲ୍ ଦେୱାନୀ କହିଛନ୍ତି, ଶିଖ୍ ଯାତ୍ରୀମାନେ ଏକ ନିର୍ଦ୍ଦିଷ୍ଟ ଆକାରର ‘କିର୍ପାନ୍’ ସାଥିରେ ନେଇ ଯାଇପାରିବେ ବୋଲି ୨୦୨୨ ମାର୍ଚ ୧୨ ତାରିଖରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜାରି କରିଥିବା କଟକଣା ଅନୁଯାୟୀ ସରକାର ଜାରି କରିଥିବା ‘ଗାଇଡ୍ଲାଇନ୍’ର ସଂଶୋଧନ ଆବଶ୍ୟକ। ଉକ୍ତ ‘ଗାଇଡ୍ଲାଇନ୍’ରେ ଉଲ୍ଲେଖ ଅଛି ଯେ, ଶିଖ ସମ୍ପ୍ରଦାୟ ସମେତ ବିମାନ ବନ୍ଦର ଓ ‘ଏୟାର୍ଲାଇନ୍’ରେ କାର୍ଯ୍ୟରତ କର୍ମଚାରୀମାନେ ସାଥିରେ ‘କିର୍ପାନ୍’ ରଖିପାରିବେ ନାହିଁ।