‘ଗଗନ’ ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ ସମ୍ପନ୍ନ

ନୂଆଦିଲ୍ଲୀ: ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଆଜି ରାଜସ୍ଥାନର କିଷନଗଡ଼ ବିମାନଘାଟିରେ ‘ଗଗନ’ ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି। ଏହା ‘ଗଗନ’ ଜିପିଏସ୍ ସହାୟତାରେ ପରିଚାଳିତ ଏକ ଜିଓ-ଅଗମେଣ୍ଟେଡ ନାଭିଗେସନ (ଉଡାଣ) ବ୍ୟବସ୍ଥା। ଏଥିରେ ଭୂମିଠାରୁ ବିମାନର ଉଡାଣ ଉଚ୍ଚତା, ଅବତରଣ ଓ ଅନ୍ୟାନ୍ୟ ବିଷୟ ନିର୍ଦ୍ଧାରିତ ହୋଇଥାଏ। ସଂକ୍ଷେପରେ ଏହା ଏଲ୍‌ପିଭି ଆପ୍ରୋଚ୍ ପ୍ରସିଡିଓର ଭାବେ ପରିଚିତ।

ବାୟୁ ପରିବହନ ସେବା (ଏଏନ୍‌ଏସ୍‌) କ୍ଷେତ୍ରରେ ଭାରତ ପାଇଁ ଏହା ଏକ ବିରାଟ ସଫଳତା। ବେସାମରିକ ବିମାନ ଉଡାଣ ଇତିହାସରେ ଏହା ଏକ ମାଇଲଖୁଣ୍ଟ। ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପ୍ରଥମ ଦେଶ। ଏଲ୍‌ପିଭି (ଲୋକାଲାଇଜର ପର୍‌ଫର୍ମାନ୍ସ ଉଇଥ୍ ଭର୍ଟିକାଲ ଗାଇଡାନ୍ସ)ର ବିଶେଷତ୍ୱ ହେଲା ଏହା ବିମାନକୁ ଉତ୍‌ଥାନ, ଉଡାଣ ଓ ଅବତରଣ କାଳରେ ଆବଶ୍ୟକ ନିରାପଦ ଦିଗ୍‌ଦର୍ଶନ ଦେଇଥାଏ। ଏହି ବ୍ୟବସ୍ଥାଟି ‘କ୍ୟାଟ୍‌-ଇଲ୍ସ’ ସହିତ ସମକକ୍ଷ। ଏଥିରେ ବିମାନ ଉଡାଣ ପାଇଁ ସ୍ଥଳଭିତ୍ତିକ ଉଡ୍ଡୟନ ଭିତ୍ତିଭୂମିର ଆବଶ୍ୟକତା ବିଶେଷ ନାହିଁ। ଏଥିପାଇଁ ଜିପିଏସ୍ ଓ ଗଗନ ଜିଓ-ଷ୍ଟେସନାରୀ ସାଟେଲାଇଟ୍ ସେବା ଯୋଗାଉଛି। ଇସ୍ରୋ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିବା ଜିସାଟ୍‌-୮, ଜିସାଟ୍-୧୦ ଓ ଜିସାଟ୍-୧୫ ଉପଗ୍ରହମାନ ଏହି ଉଡାଣ ପାଇଁ ସେବା ଯୋଗାଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।

ଗଗନ ଏକ ଭାରତୀୟ ଉପଗ୍ରହଭିତ୍ତିକ ପ୍ରବର୍ଦ୍ଧନ (ଅଗମେଣ୍ଟେସନ) ବ୍ୟବସ୍ଥା। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ଏହା ମିଳିତ ଭାବେ ବିକାଶିତ ହୋଇଛି। ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଭାରତ ଏବଂ ଏହାର ପଡୋଶୀ ରାଷ୍ଟ୍ର ନିମନ୍ତେ ପ୍ରଥମ କରି ଏହି ବ୍ୟବସ୍ଥା ତିଆରି କରାଯାଇଛି। ଭର୍ଟିକାଲ ଗାଇଡାନ୍ସ ଏବଂ ଏନ୍‌ରୁଟ୍ ଅପରେସନ ପାଇଁ ଗଗନ ସିଷ୍ଟମ୍‌କୁ ଡିଜିସିଏ ୨୦୧୫ରେ ପ୍ରମାଣପତ୍ର ପ୍ରଦାନ କରିଥିଲା। ବିଶ୍ୱରେ ମାତ୍ର ଚାରିଟି ମହାକାଶଭିତ୍ତିକ ଅଗେମେଣ୍ଟସନ ସିଷ୍ଟମ୍ ଉପଲବ୍‌ଧ। ସେଗୁଡିକ ହେଲା- ଭାରତର ଗଗନ, ଆମେରିକାର ୱାସ୍‌, ୟୁରୋପର ଇଗ୍‌ନ୍‌ସ ଓ ଜାପାନର ଏମ୍‌ସାସ୍। ଗଗନ ବ୍ୟବସ୍ଥାଟି ବିଷୁବମଣ୍ଡଳୀୟ ଅଞ୍ଚଳରେ ଥିବା ଭାରତ ଓ ଏହାର ପଡୋଶୀ ରାଷ୍ଟ୍ର ପାଇଁ ଉଦ୍ଦିଷ୍ଟ।

ବନ୍ଦରରେ କରାଗଲା ଏହି ପରୀକ୍ଷା
ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ-ପ୍ରଶାନ୍ତ ଅଞ୍ଚଳର ପ୍ରଥମ ଦେଶ

ଆଜି ଇଣ୍ଡିଗୋ ଏୟାର ଲାଇନ୍ସର ଏକ ଏଟିଆର ବିମାନ ‘ଗଗନ’ ସେବା ବ୍ୟବହାର କରି ଆଇଏପି ଓ ଏଲ୍‌ପିଭି ବ୍ୟବସ୍ଥାରେ ୨୫୦ ଫୁଟ ଉପରେ ଉଡିଥିଲା। କିଷନଗଡ ବିମାନ ବନ୍ଦରରେ ଏହି ପରୀକ୍ଷାମୂଳକ ଉଡାଣ ସମୟରେ ବିମାନରେ ଡିଜିସିଏ ଟିମ୍‌ର ସଦସ୍ୟମାନେ ଥିଲେ। ଗଗନ ଏଲ୍‌ପିଭି ଫ୍ଲାଇଟ୍ ଟ୍ରାଏଲ୍ ଶୃଙ୍ଖଳାର ଏହା ପ୍ରଥମ ପରୀକ୍ଷା। ଡିଜିସିଏର ଚୂଡାନ୍ତ ଅନୁମୋଦନ ପରେ ଏହାକୁ ବ୍ୟବସାୟିକ ଉଡାଣ ପାଇଁ ଉପଯୋଗ କରିବାକୁ ଯୋଗାଇ ଦିଆଯିବ। ଯେଉଁ ବିମାନ ବନ୍ଦରରେ ଅବତରଣ ଉପକରଣ ଓ ବ୍ୟବସ୍ଥା ନାହିଁ ସେଠାରେ ବିମାନ ଏହା ମାଧ୍ୟମରେ ସହଜରେ ଓହ୍ଲାଇ ପାରିବ। ଏହାଫଳରେ ଆଞ୍ଚଳିକ ଓ କ୍ଷୁଦ୍ର ବିମାନବନ୍ଦରଗୁଡିକ ବିଶେଷ ଉପକୃତ ହେବେ। ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ବିମାନକୁ ଭୂପୃଷ୍ଠଠାରୁ ୨୫୦ଫୁଟ୍ ଉଚ୍ଚତାରେ ସହଜରେ ରଖିହେବ। ଏହାଫଳରେ ଖରାପ ପାଗ ଓ ଭଲଭାବେ ଦେଖାଯାଉ ନ ଥିବା ସ୍ଥିତିରେ ବିମାନ ନିରାପଦରେ ଅବତରଣ କରିପାରିବ।

ସମ୍ବନ୍ଧିତ ଖବର