ଓବିସି ସଂରକ୍ଷଣ ବନ୍ଦ ପାଇଁ ଇଣ୍ଡି ମେଣ୍ଟ ଷଡ଼୍‌ଯନ୍ତ୍ର କରୁଛି: ମୋଦୀ

ମଉ: ଧର୍ମ ଆଧାରରେ ସଂରକ୍ଷଣ ଦେବା ପାଇଁ ଇଣ୍ଡି ମେଣ୍ଟ ସମ୍ବିଧାନକୁ ବଦଳାଇଦେବ । ଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ଦ୍ବିତୀୟ ଶ୍ରେଣୀର ନାଗରିକରେ ପରିଣତ କରିବାକୁ ଇଣ୍ଡି ମେଣ୍ଟ ଚାହୁଛି ଏବଂ ଓବିସି ସଂରକ୍ଷଣ ବନ୍ଦ କରିବାକୁ ଏହାର ନେତାମାନେ ଷଡ଼୍‌ଯନ୍ତ୍ର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତ୍ତରପ୍ରଦେଶର ପୂର୍ବାଞ୍ଚଳ କ୍ଷେତ୍ର ଘୋସିରେ ଅନୁଷ୍ଠିତ ରାଲିରେ କହିଛନ୍ତି।

ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ଏସ୍‌ସି, ଏସ୍‌ଟି, ଓବିସିଙ୍କୁ ଦିଆଯାଇଥିବା ସଂରକ୍ଷଣ ବନ୍ଦ କରି ମୁସଲମାନଙ୍କୁ ଦେବା ପାଇଁ ମନ ସ୍ଥିର କରିସାରିଛନ୍ତି। ଇଣ୍ଡି ମେଣ୍ଟ ବିଭିନ୍ନ ଜାତିକୁ ପରସ୍ପର ମଧ୍ୟରେ ଲଢ଼େଇ କରାଇ ସେଥିରୁ ଯଥାସମ୍ଭବ ରାଜନୈତିକ ସ୍ବାର୍ଥ ହାସଲ ପାଇଁ କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମାଜବାଦୀ ପାର୍ଟି ଏବଂ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ବର୍ଷ ବର୍ଷ ଧରି ପୂର୍ବାଞ୍ଚଳକୁ ଅବହେଳା କରିଛନ୍ତି ଏବଂ ଏହାକୁ ମାଫିଆ, ଦାରିଦ୍ର୍ୟ ଏବଂ ଅସହାୟତାର ଅଞ୍ଚଳରେ ପରିଣତ କରିଛନ୍ତି। ସମାଜବାଦୀ ପାର୍ଟି ଓ ଇଣ୍ଡି ମେଣ୍ଟ କେବଳ ବିଭାଜନ ଓ ବିଭ୍ରାନ୍ତି ଆଧାରରେ ଯେନତେନ ପ୍ରକାରେ ଚଳିତ ନିର୍ବାଚନରେ ତିଷ୍ଠି ରହିବାକୁ ଉଦ୍ୟମ କରୁଛନ୍ତି ଏବଂ ଏହି ଚାଲ୍‌ କାମଦେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ‘ଓବିସିର ସଂରକ୍ଷଣ ବ୍ୟବସ୍ଥା ଉପରେ ଆକ୍ରମଣ କରି ଇଣ୍ଡି ମେଣ୍ଟର ନେତାମାନେ ସମ୍ବିଧାନ ବଦଳାଇବେ ଏବଂ ଏଥିରେ ନୂଆ କରି ଲେଖିବେ ଯେ ଭାରତରେ ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବା ଉଚିତ। ଦ୍ବିତୀୟତଃ ସେମାନେ ଏସ୍‌ସି, ଏସ୍‌ଟି, ଓବିସିଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ବନ୍ଦ କରିଦେବାକୁ ମଧ୍ୟ ଯୋଜନା କରି ବହୁତ ବଡ଼ ଷଡ଼୍‌ଯନ୍ତ୍ର ଆଧାରରେ ଅଗ୍ରସର ହେଉଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଓବିସି ସଂରକ୍ଷଣ ଏଡ଼ାଇବା ପାଇଁ ଇଣ୍ଡି ମେଣ୍ଟ ଭିନ୍ନ ପଦ୍ଧତିରେ କାମ କରୁଛି। ସେମାନେ ରାତାରାତି ବିଭିନ୍ନମୁସଲମାନ ଜାତିକୁ ଓବିସି ଘୋଷଣା କରୁଛନ୍ତି। ନିକଟରେ କଲିକତା ହାଇକୋର୍ଟ ୭୭ଟି ମୁସଲମାନ ସଂପ୍ରଦାୟ ପାଇଁ ଓବିସି ସଂରକ୍ଷଣକୁ ଖାରଜ କରିଛନ୍ତି। ଇଣ୍ଡି ମେଣ୍ଟ ନେତାଙ୍କ ମାନସିକତା ପୂର୍ବାଞ୍ଚଳରେ ନିଆଁ ଲଗାଇଛି ଏବଂ ସେମାନଙ୍କୁ ଏହି ଅଂଚଳରେ ପାଦ ରଖିବାକୁ ମଧ୍ୟ ଲୋକେ ଅନୁମତି ଦେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର