ଆଇଜଲ: ମିଜୋରାମ ବିଧାନସଭା ନିର୍ବାଚନରେ ଜେଡ୍ପିଏମ୍ ଦଳର ବିଜୟ ପରେ ଏହାର ମୁଖ୍ୟ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ୭୩ ବର୍ଷୀୟ ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ଗୋଆ କ୍ୟାଡର ପୂର୍ବତନ ଆଇପିଏସ୍ ଅଫିସର ଲାଲଦୁହୋମା ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ। ୩ ଦଶନ୍ଧିରୁ ଅଧିକ ସମୟ ହେଲା ମିଜୋରାମର ମୁଖ୍ୟମନ୍ତ୍ରୀ ପଦରେ ମୁଖ୍ୟତଃ ଦୁଇଜଣ ବ୍ୟକ୍ତି ବସି ଆସୁଥିଲେ। ସେମାନେ ହେଲେ କଂଗ୍ରେସର ଲାଲଥାନହାୱଲା ଏବଂ ଏମ୍ଏନ୍ଏଫ୍ର ଜୋରାମଥଙ୍ଗା। ଇନ୍ଦିରାଙ୍କ ମୃତ୍ୟୁ ବର୍ଷ ଲାଲଦୁହୋମା କଂଗ୍ରେସ ଟିକଟରେ ମିଜୋରାମରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ପିପୁଲ୍ସ କନଫରେନ୍ସ ପାର୍ଟି ପ୍ରାର୍ଥୀ ଲାଲମିଙ୍ଗଥଙ୍ଗାଙ୍କ ଠାରୁ ସେ ୮୪୬ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେହିବର୍ଷ ସେ କଂଗ୍ରେସ ଟିକଟରେ ଲୋକସଭାକୁ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।
ତେବେ ୧୯୮୬ ମସିହାରେ ସେ ମିଜୋରାମ କଂଗ୍ରେସ ସଭାପତି ପଦ ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲ ଥାନହାୱଲା ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କ ବିରୋଧରେ ଷଡ଼୍ଯନ୍ତ୍ର ଅଭିଯୋଗ ଆସିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। କଂଗ୍ରେସ ଛାଡ଼ିବା ପରେ ପ୍ରଥମ ସାଂସଦ ଭାବେ ଦଳ ବଦଳ ଆଇନରେ ସାଂସଦ ପଦ ହରାଇଥିଲେ। ୨୦୧୮ରେ ସେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଜେଡପିଏମ୍ ଦଳରେ ସକ୍ରିୟ ଭାବେ ସାମିଲ ହୋଇ କାାର୍ଯ୍ୟ କରୁଥିବା ନେଇ ଏମଏନଏଫର ୧୨ ବିଧାୟକ ଅଭିଯୋଗ କରିବା ପରେ ବାଚସ୍ପତି ତାଙ୍କୁ ୨୦୨୦ ମସିହାରେ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିଥିଲେ। କିନ୍ତୁ ୨୦୨୧ ଉପନିର୍ବାଚନରେ ସେ ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ବ୍ୟତୀତ ସେ ଏକଦା ଏମଏନଏଫରେ ଥିଲେ। ଜୋରାମ୍ ନ୍ୟାସନାଲିଷ୍ଟ ପାର୍ଟି ନାମରେ ନିଜର ଏକ ଦଳ ଗଠନ କରିଥିଲେ। ଏଥିସହିତ ଜେଡପିଏମ ଦଳ ଗଠନରେ ପ୍ରମୁଖ ଭୂମିକା ନିଭାଇଥିଲେ। ୨୦୧୯ରେ ସେ ଜେଡ୍ପିଏମ୍କୁ ରାଜନୈତିକ ଦଳ ଭାବେ ପଞ୍ଜୀକରଣ କରିଥିଲେ। ୨୦୦୩ ଓ ୨୦୦୮ରେ ଯଥାକ୍ରମେ ରାତୁ ଏବଂ ଆଇଜଲ ୱେଷ୍ଟ-୧ ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।