ନୂଆଦିଲ୍ଲୀ: ଦେଶରେ ବ୍ୟକ୍ତିଗତ ଚିକିତ୍ସା ଉପକରଣର ବ୍ୟାପକ ଅଭାବ ଯୋଗୁଁ କିଛି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଏବେ ରେନ୍‌କୋଟ୍‌ ଏବଂ ହେଲମେଟ୍‌ ପିନ୍ଧି କରୋନା ମୁକାବିଲା କରୁଛନ୍ତି। କେନ୍ଦ୍ର ସରକାର ଗତକାଲି କହିଥିଲେ ଯେ, ବ୍ୟକ୍ତିଗତ ସୁରକ୍ଷା ଉପକରଣ କ୍ରୟ ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି। ଘରୋଇ ଭାବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ କୋରିଆ ଏବଂ ଚୀନ୍‌ଠାରୁ ବି କିଛି ବ୍ୟକ୍ତିଗତ ସୁରକ୍ଷା ଉପକରଣ କ୍ରୟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଭାରତରେ କରୋନା ଲଢ଼େଇରେ ସମ୍ମୁଖରେ ରହିଥିବା କିଛି ଡାକ୍ତର ମାସ୍କ ଏବଂ ଅନ୍ୟ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଅଭାବ ଯୋଗୁଁ ଚିନ୍ତା ପ୍ରକଟ ହୋଇଛି। କୋଲକାତାରେ ବେଲଘାଟ୍‌ରେ ଥିବା ଏକ ହସ୍ପିଟାଲ୍‌ରେ କରୋନା ଚିକିତ୍ସା କରୁଥିବା କିଛି କନିଷ୍ଠ ଚିକିତ୍ସକଙ୍କୁ ଗତ ସପ୍ତାହରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଭାବେ ପ୍ଲାଷ୍ଟିକ୍‌ ରେନ୍‌କୋଟ୍‌ ଦିଆଯାଇଥିଲା। ଏନେଇ ରଏଟର୍ସ ପକ୍ଷରୁ ଏକ ଫଟୋ ମଧ୍ୟ ଜାରି ହୋଇଛି। ହସ୍ପିଟାଲ୍‌ର ଜଣେ ଡାକ୍ତର କହିଛନ୍ତି, ସେ ତାଙ୍କ ଜୀବନକୁ ବିପଦରେ ପକାଇ ଏଭଳି ସେବା ଦେଇପାରିବେ ନାହିଁ। ଅନ୍ୟପକ୍ଷେ ହରିୟାଣାରେ ଇଏସ୍‌ଆଇ ହସ୍ପିଟାଲ୍‌ର ଡା ସନ୍ଦୀପ ଗାର୍ଗ‌୍ କହିଛନ୍ତି, ତାଙ୍କ ପାଖରେ ଏନ୍‌-୯୫ ମାସ୍କ ନଥିବାରୁ ସେ ମୋଟରବାଇକ୍‌ ‌ହେଲମେଟ୍‌ ବ୍ୟବହାର କରିଛନ୍ତି। ତେବେ ଦେଶ ଯେ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କେତେ ପଛରେ ରହିଛି ତାହା ଏଥିରୁ ସ୍ପ‌ଷ୍ଟ ଅନୁମେୟ ହେଉଛି। ଭାରତ ଏହାର ଜିଡିପିର ୧.୩ ପ୍ରତିଶତ ସ୍ବାସ୍ଥ୍ୟ ବାବଦରେ ଖର୍ଚ୍ଚ କରୁଛି ଯାହା କି ବିଶ୍ବରେ ସବୁଠୁ କମ୍।