ମସ୍କୋରେ ବାହାରିଲା ସମାଧାନ ବାଟ : ଜୟଶଙ୍କର-ଓ୍ୱାଙ୍ଗ୍‌ଙ୍କ ପଞ୍ଚସୂତ୍ରୀ ସହମତି, ଦୁଇ ଦେଶ ପକ୍ଷରୁ ମିଳିତ ବିବୃତି ଜାରି

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ ସୈନିକଙ୍କ ଅତିକ୍ରମଣ ଉଦ୍ୟମ ଯୋଗୁଁ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପାଇଁ ଏବେ ଦୁଇ ଦେଶର କ୍ଷେତ୍ର ସାମରିକ ସ୍ତରୀୟ ଅଧିକାରୀମାନଙ୍କର ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି। ତେବେ ଗତକାଲି ମସ୍କୋଠାରେ ସାଂଘାଇ ସହଯୋଗ ସଂଘ ସମ୍ମିଳନୀ ଅବସରରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ଚୀନ ପ୍ରତିପକ୍ଷ ଵାଙ୍ଗ୍‌ ଵିଙ୍କ ମଧ୍ୟରେ ହୋଇଥିବା ସୌହାର୍ଦ୍ଦପୂର୍ଣ୍ଣ କଥାବାର୍ତ୍ତା ଏ ଦିଗରେ କିଛି ସକାରାତ୍ମକ ଫଳାଫଳ ଆଣିଥିବା ଜଣାଯାଇଛି।

ଦୁଇ ବୈଦେଶିକ ମନ୍ତ୍ରୀଙ୍କ ଦୀର୍ଘ ସମୟ ଆଲୋଚନା କାଳରେ ସେମାନେ ପହଞ୍ଚିଥିବା ପଞ୍ଚସୂତ୍ରୀ ସହମତି ହିଁ ଭାରତ-ଚୀନ୍‌ ସୀମା ବିବାଦରେ ସାମୟିକ ଭାବେ ପୂର୍ଣ୍ଣଚ୍ଛେଦ ଆଣିବ ବୋଲି କୂଟନୈତିକ ବିଶାରଦମାନେ ଆଶା ବ୍ୟକ୍ତ କରିଛନ୍ତି। ଉଭୟ ନେତା ସ୍ପଷ୍ଟ ତଥା ଗଠନମୂଳକ ଭାବରେ ସୀମାରେ ଦେଖାଦେଇଥିବା ପରିସ୍ଥିତି ସମେତ ଦ୍ବିପାକ୍ଷିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି ଏକ ମିଳିତ ବିବୃତିରେ କୁହାଯାଇଛି।

ଏହି ଘୋଷିତ ମିଳିତ ବିବୃତି ଅନୁସାରେ, ଦୁଇ ଦେଶ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଲାଗି ଉଭୟ ପକ୍ଷର ନେତୃସ୍ତରୀୟ ସହମତିରୁ ପରାମର୍ଶ ଗ୍ରହଣ କରିବେ ଏବଂ ମତଭେଦ ଯେପରି ବିବାଦରେ ପରିଣତ ନହୁଏ ସେଥିପ୍ରତି ଦୃଷ୍ଟି ଦେବେ। ବର୍ତ୍ତମାନ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି କୌଣସି ପକ୍ଷର ହିତ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଉଭୟ ନେତା ସ୍ବୀକାର କରିଛନ୍ତି। ତେଣୁ ସୀମାରେ ରହୁଥିବା ଉଭୟ ପକ୍ଷର ସୁରକ୍ଷା ବଳ ମଧ୍ୟରେ କଥାବାର୍ତ୍ତା ଜାରି ରହିବ। ଏଥି ସହିତ ଉଭୟ ପକ୍ଷ ଖୁବ୍‌ ଶୀଘ୍ର ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବା ସହ ଆବଶ୍ୟକ ସୈନ୍ୟ ପ୍ରତ୍ୟାହାର କରି ଉତ୍ତେଜନାକୁ ହ୍ରାସ କରାଇବେ। ସେହିପରି ଦୁଇ ଦେଶର ସୀମା ସଂକ୍ରାନ୍ତ ରହିଥିବା ପୂର୍ବର ରାଜିନାମାକୁ ଉଭୟ ପକ୍ଷ ଅନୁପାଳନ କରି ସୀମା ଇଲାକାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବେ ଏବଂ ପରିସ୍ଥିତିକୁ ଗମ୍ଭୀର କଲା ଭଳି କୌଣସି ପଦକ୍ଷେପ ନେବାରୁ ବିରତ ରହିବାକୁ ବୈଦେଶିକ ମନ୍ତ୍ରୀ ଦ୍ବୟ ରାଜି ହୋଇଛନ୍ତି।

ଅପରପକ୍ଷେ, ଭାରତ-ଚୀନ୍‌ ମଧ୍ୟରେ ରହିଥିବା ସୀମା ଦ୍ବନ୍ଦ୍ବର ସମାଧାନ ପାଇଁ ଉଭୟ ପକ୍ଷ ଦୁଇ ଦେଶର ସ୍ବତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା ଜାରି ରଖିବାକୁ ମଧ୍ୟ ଜୟଶଙ୍କର-ଵାଙ୍ଗ୍‌ ସହମତ ହୋଇଛନ୍ତି। ଏ ପରିପ୍ରେକ୍ଷୀରେ ଭାରତ-ଚୀନ୍‌ ସୀମା ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଗଠିତ ଵାର୍କିଂ ମେକାନିଜିମ୍‌ ଫର୍‌ କନ୍‌ସଲ୍‌ଟେସନ୍‌ ଆଣ୍ଡ୍‌ କୋର୍ଡିନେସନ୍‌(ଡବ୍‌ଲ୍ୟୁଏମ୍‌ସିସି) ଏହାର ନିୟମିତ ବୈଠକ ଚାଲୁ ରଖିବାକୁ ମଧ୍ୟ ଦୁଇ ନେତା ରାଜି ହୋଇଛନ୍ତି। ସୀମା ପରିସ୍ଥିତିରେ ସୁଧାର ଆସିବା ପରେ ଉଭୟ ପକ୍ଷ ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଢ଼ାଇବା ଉଦ୍ଦେଶ୍ୟରେ ପରସ୍ପର ମଧ୍ୟରେ ବିଶ୍ବସନୀୟତା ବୃଦ୍ଧି ପାଇଁ ମଧ୍ୟ ଅନୁରୂପ କାର୍ଯ୍ୟକଳାପ ଆରମ୍ଭ କରିବେ ବୋଲି ନେତାଦ୍ବୟ କହିଛନ୍ତି। ସେହିପରି ଚୀନ ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ବିଶଦ ଆଲୋଚନା କରି ଏପରି ପାଞ୍ଚସୂତ୍ରୀ ସହମତିରେ ପହଞ୍ଚିଛନ୍ତି। ତେବେ ବର୍ତ୍ତମାନ କୌଣସି କାରଣରୁ ଭାରତ-ଚୀନ୍‌ ମଧ୍ୟରେ ସମ୍ପର୍କ ଦୋଛକିରେ ପହଞ୍ଚିଥିବା ଵାଙ୍ଗ୍‌ ସ୍ବୀକାର କରିଛନ୍ତି। ମାତ୍ର ସମ୍ପର୍କକୁ ଠିକଣା ବାଟରେ ଉଭୟ ଦେଶ ଆଗେଇ ନେଲେ ତାହା ଯେ କୌଣସି ଆହ୍ବାନକୁ ବି ପ୍ରତିହତ କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର