ଭାରତ-ଚୀନ୍‌ ସୀମା ବିବାଦ: ସମାଧାନ ପାଇଁ ତିବ୍ବତ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତ ଚୀନ୍‌ ବିରୋଧରେ ତିବ୍ବତ କାର୍ଡ ଖେଳୁଥିବା ବିଷୟ ଏକ କାଳ୍ପନିକ ଅଧ୍ୟାୟ ହୋଇ ରହି ଆସିଥିଲା। ମାତ୍ର ଭାରତୀୟ ସେନାବାହିନୀ ତିବ୍ବତର ଯୁବକମାନଙ୍କୁ ସାମିଲ କରି ଗୋପନରେ ସ୍ବତନ୍ତ୍ର ସୀମା ବଳ(ଏସ୍‌ଏଫ୍‌ଏଫ୍‌) ନାମରେ ଏକ ସାମରିକ ୟୁନିଟ୍‌ ଗଠନ କରିବା ହିଁ ପୂର୍ବର କାଳ୍ପନିକ କଥାବସ୍ତୁକୁ ବାସ୍ତବରେ ପରିଣତ କରିଛି। ସେହିପରି ଗତ ୨୯ ତାରିଖରେ ଚୀନୀ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଏସ୍‌ଏଫ୍‌ଏଫ୍‌ର ଯବାନ ନୟିମା ତେନ୍‌ଜିନ୍‌ଙ୍କ ମରଶରୀରକୁ ତ୍ରିରଙ୍ଗା ଓ ତିବ୍ବତୀୟ ପତାକାରେ ଆବୃତ କରାଯିବା ସହ ତାଙ୍କ ଶେଷକୃତ୍ୟରେ ଭାରତୀୟ କର୍ତ୍ତୃପକ୍ଷଙ୍କ ଖୋଲାଖୋଲି ସାମିଲ ହେବା ଘଟଣା ଭାରତର ଏହି ଗୋପନ ସୀମା ବଳ ଯୋଜନାକୁ ସାମ୍ନାକୁ ଆଣିଛି।

ଏପରିକି ତେନ୍‌ଜିନ୍‌ଙ୍କ ଅନ୍ତିମ ସଂସ୍କାରକୁ ଭାରତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ସିଧା ପ୍ରସାରଣ କରାଯାଇଛି। ଏହାଦ୍ବାରା ୧୯୫୦ ମସିହାରେ ଚୀନ୍‌ ତିବ୍ବତ ଅଧିକାର କରିବା ପରେ ଭାରତରେ ଶରଣାର୍ଥୀ ସାଜିଥିବା ତିବ୍ବତୀୟ ବଂଶଧରମାନେ କିପରି ଭାରତ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ତାହା ମଧ୍ୟ ଦର୍ଶାଯିବା ସହ ତିବ୍ବତ ଉପରେ ଚୀନ୍‌ର ସାର୍ବଭୌମତ୍ବରେ ପ୍ରଶ୍ନବାଚୀ ଲଗାଯାଇଛି। ଏଥି ସହିତ ତୁମ ଲୋକମାନେ କିପରି ଆମ ସହ ତୁମ ବିରୋଧରେ ଲଢ଼େଇ କରୁଛନ୍ତି ବୋଲି ଭାରତ ଚୀନ୍‌ ପାଇଁ ପରୋକ୍ଷରେ ଏକ ବାର୍ତ୍ତା ପଠାଇଛି। ଏସ୍‌ଏଫ୍‌ଏଫ୍‌ରେ ନିଯୁକ୍ତ ତିବ୍ବତୀୟ ଯୁବକମାନଙ୍କର ଭାରତୀୟ ସେନାରେ ଅନେକ ଅବଦାନ ରହିଛି। ୧୯୭୧ ମସିହାରେ ପାକିସ୍ତାନକୁ ହରାଇ ବାଂଲାଦେଶ ଗଠନରେ ଏସ୍‌ଏଫ୍‌ଏଫ୍‌ ସ୍ବତନ୍ତ୍ର ଭୂମିକା ନିଭାଇଥିଲା। ସେହିପରି ୧୯୯୯ କାର୍ଗିଲ ଯୁଦ୍ଧ ବେଳେ ମଧ୍ୟ ସେମାନେ ଅସୀମ ପରାକ୍ରମର ପ୍ରମାଣ ଦେଖାଇଥିଲେ। ଯଦିଓ ଭାରତ ସରକାର ତିବ୍ବତୀୟମାନଙ୍କୁ ଔପଚାରିକ ସ୍ବୀକୃତି ଦେଇନାହାନ୍ତି, ତଥାପି ଭାରତରେ ରହିଥିବା ଅନେକ ତିବ୍ବତୀୟ ଶରଣାର୍ଥୀ ଗୋଷ୍ଠୀ ତିବ୍ବତକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଦେଖିବାକୁ ଆଶାବାଦୀ ଅଛନ୍ତି।

ସମ୍ପ୍ରତି ଲକ୍ଷେରୁ ଅଧିକ ତିବ୍ବତୀୟ ଭାରତର ବିଭିନ୍ନ ପ୍ରାନ୍ତରେ ସ୍ବାଧୀନ ଭାବରେ ବସବାସ କରୁଛନ୍ତି। ଅପରପକ୍ଷେ, ଚୀନ୍‌ର ତିବ୍ବତୀୟ ସ୍ବୟଂଶାସିତ ଅଞ୍ଚଳରେ ରହୁଥିବା ତିବ୍ବତୀୟମାନେ ଚୀନ୍‌ର ଜିଞ୍ଜିଆଙ୍ଗ୍‌ ପ୍ରଦେଶରେ ରହୁଥିବା ଵିଘର ମୁସଲିମ୍‌ଙ୍କ ପରି ନିର୍ଯାତନା ଭୋଗୁଥିବାର ଅନେକ ଅଭିଯୋଗ ଆସିବାରେ ଲାଗିଛି। ଏଣେ ଭାରତ ସରକାର ମଧ୍ୟ ତିବ୍ବତର ନିର୍ବାସିତ ଧର୍ମଗୁରୁ ଦଲାଇ ଲାମାଙ୍କୁ ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ଆଶ୍ରୟ ଦେଇଥିଲେ ହେଁ ଦଶନ୍ଧି ଦଶନ୍ଧି ଧରି ସାମଗ୍ରିକ ଭାବେ ତିବ୍ବତୀୟଙ୍କ ପକ୍ଷ ନେଇନାହାନ୍ତି। ତେବେ ପରବର୍ତ୍ତୀ ଧର୍ମଗୁରୁ ଚୟନ ବେଳେ ସେମାନଙ୍କ ଶାନ୍ତି ଯୁଦ୍ଧ ମୋଡ଼ ବଦଳାଇପାରେ ବୋଲି ଅନେକ କୂଟନୀତି ବିଶେଷଜ୍ଞଙ୍କ ମତ। କାରଣ ବେଜିଂ ପ୍ରଶାସନ ନିଜ ପସନ୍ଦ ମୁତାବକ ତିବ୍ବତୀୟମାନଙ୍କର ଏହି ଶୀର୍ଷ ପଦବିରେ କାହାକୁ ଜଣଙ୍କୁ ଆସୀନ କରିବାର ସମ୍ଭାବନା ଥିବା ବେଳେ ତାହା ଅବୈଧ ହେବ ବୋଲି ଦଲାଇ ଲାମା କହିଛନ୍ତି। ଏ ପରିପ୍ରେକ୍ଷୀରେ ନୂତନ ତିବ୍ବତୀୟ ବିପ୍ଳବରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବା ସମ୍ଭାବନା ରହିଛି। ଚୀନ୍‌ ଆଗରେ ବହୁ ବର୍ଷ ଧରି ତିବ୍ବତ କାର୍ଡ ଖେଳିବାକୁ ଯୋଜନା କରୁଥିବା ଭାରତ ପାଇଁ ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଅନେକ ଅନୁଭବ କରୁଛନ୍ତି। ତଦନୁସାରେ ଭାରତ ତାହାର ବିଦେଶ ନୀତିରେ ପରିବର୍ତ୍ତନ ଆଣି ଚୀନ୍‌କୁ ବିବ୍ରତ ହେବା ପାଇଁ ବାଧ୍ୟ କରିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର