ଡୋକଲାମ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ: ଭାରତ-ଭୁଟାନ-ତିବ୍ଦତ ତ୍ରିଛକ ଗସ୍ତ ଆଜି

ନୂଆଦିଲ୍ଲୀ: ଡୋକଲାମ ଅଂଚଳରେ ଚୀନ୍‌ ୫ ଶହ ସୈନ୍ୟଙ୍କ ଉପସ୍ଥିତିରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜାରି ରଖିଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା ବେଳେ ସରକାର ଏହାକୁ ଖଣ୍ଡନ କରିଛନ୍ତି। ଆଜି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି ଯେ ଡୋକଲାମ ବିବାଦର ସମାଧାନ ପରେ ଏଭଳି କିଛି ଘଟଣା ଘଟିନାହିଁ। ତେବେ ଚୀନ୍‌ର ଗତିବିଧି ଉପରେ ଭାରତ ସତର୍କ ନଜର ରଖିଛି। ଡୋକଲାମ ବିବାଦର ସମାଧାନ ହୋଇଥିବାରୁ ଏ ନେଇ ଯଦି ଚୀନ୍‌ ତା’ର ଆଭିମୁଖ୍ୟ ବଦଳାଇବ ତା’ହେଲେ ଭାରତ ମଧ୍ୟ ସେହି ଆଧାରରେ ପଦକ୍ଷେପ ଗ୍ରହଣ କରିବ। ଏବେ ଭାରତ-ଭୁଟାନ-ତିବ୍ଦତ ତ୍ରିଛକ ସ୍ଥିତି ସମୀକ୍ଷା ପାଇଁ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମିଳିତ ସୀମା ଅଂଚଳ ଗସ୍ତ କରିବେ। ରଣନୀତିକ ଦୃଷ୍ଟିରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ ମଧ୍ୟ ଉପସ୍ଥିତ ରହିବେ। ଡୋକଲାମ ବିବାଦର ସମାଧାନ ପରେ ଭାରତୀୟ ସେନା ୬ ଶହ ମିଟର ପଛକୁ ଫେରିଥିଲେ। ତେବେ ଚୀନ୍‌ ସେନା ପଛକୁ ହଟିବା ପରେ ଆଭ୍ୟନ୍ତରୀଣ ଅଂଚଳରେ ଏକ ସଡ଼କ ସଂପ୍ରସାରଣ କରୁଥିବା କୁହାଯାଉଛି। ତେବେ ଏ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଚୀନ୍‌ ସେନା ତା’ର ପୂର୍ବ ନିର୍ଦ୍ଧାରିତ ସମରାଭ୍ୟାସ ସାରି ଖୁବ୍‌ଶୀଘ୍ର ଉକ୍ତ ଅଂଚଳ ଛାଡ଼ିବେ ବୋଲି ବାୟୁସେନା ମୁଖ୍ୟ ବିଏସ୍‌. ଧନୋଆ କହିଛନ୍ତି।
ବିେଦେଶ ସଚିବ ଜୟଶଙ୍କର ଏବେ ୪ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି ଏବଂ ଡୋକଲାମ ସ୍ଥିତି ନେଇ ଆଲୋଚନା ହୋଇଛି। ସୀତାରମଣ ଗାଂଗଟକ୍‌୍‌ ୧୭ ମାଉଣ୍ଟେନ୍‌ ଡିଭିଜନ ମୁଖ୍ୟାଳୟରେ ଏ ବାବଦ ସ୍ଥିତି ସମୀକ୍ଷା କରିବେ। ଏହି ଅବସରରେ ସେନା କମାଣ୍ଡର ସମ୍ମିଳନୀରେ ମଧ୍ୟ ଭାରତ-ଚୀନ୍‌ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳର ସୁରକ୍ଷା ସ୍ଥିତି ସମୀକ୍ଷା ହେବ।

ସମ୍ବନ୍ଧିତ ଖବର