ଲଦାଖ୍‌ ସୀମା ବିବାଦ ନେଇ ଭାରତ-ଚୀନ୍‌ ଆଲୋଚନା, ସବୁ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହେବ

ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହିଲା ଚୀନ୍

ନୂଆଦିଲ୍ଲୀ: ଲଦାଖ୍‌ରେ ଭାରତ-ଚୀନ୍‌ ସୀମା ବିବାଦ ନେଇ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ)ର ଶୀର୍ଷ ଜେନେରାଲଙ୍କ ସହିତ ଆସନ୍ତାକାଲି ଭାରତର କମାଣ୍ଡର ଜେନେରାଲମାନଙ୍କ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଭାରତର ବିଦେଶ ବ୍ୟାପାର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଏବଂ ଚୀନ୍‌ ବିଦେଶ ମନ୍ତ୍ରାଳୟର ମହା ନିର୍ଦ୍ଦେଶ ଉ ଜିଙ୍ଗାହୋଙ୍କ ସହ ଭିଡିଓ ସମ୍ମିଳନୀ ମାଧ୍ୟମରେ ଆଲୋଚନା ହୋଇଛନ୍ତି। ଦୁଇ ଦେଶ ଆଲୋଚନା ମାଧ୍ୟମରେ ସବୁ ଦ୍ବିପାକ୍ଷିକ ଏବଂ ସୀମା ବିବାଦର ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଏବେ ପୂର୍ବ ଲଦାଖ୍‌ରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଏବଂ ପରିସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏହାର ସମାଧାନ ରାସ୍ତା ବାହାର କରିବାକୁ ଏହି ବୈଠକ ଅନୁଷ୍ଠିତ ହୋଇଛି। ଲଦାଖ୍‌ର ପେଙ୍ଗୋଙ୍ଗ୍‌ ସ୍ନୋ ହ୍ରଦ୍‌ ତଟରେ ଭାରତୀୟ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷର ଏକ ମାସ ପରେ ଆସନ୍ତାକାଲି କମାଣ୍ଡର ଜେନେରାଲସ୍ତରରେ ବୈଠକ ହେବ। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ବ ନେଉଛନ୍ତି ଲେଫ୍‌ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ। ହରିନ୍ଦର ଏବେ ଲେହ ସ୍ଥିତ ୧୪ କର୍ପ‌୍ସର କାମଣ୍ଡର ଅଛନ୍ତି। ବୈଠକ ପୂର୍ବରୁ ଆଜି ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଉଭୟ ଦେଶ ସକାରାତ୍ମକ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସୀମାରେ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ତେବେ ଗୋଟିଏ ପଟେ ଚୀନ୍‌ ଭାରତ ଉପରେ ଚାପ ସୃଷ୍ଟି ପାଇଁ ଲଦାଖ୍‌ରେ ସୀମା ବିବାଦ ସୃଷ୍ଟି କରିଥିବା ବେଳେ ଏବେ ଉତ୍ତରାଖଣ୍ଡରେ ମଧ୍ୟ ଚୀନ୍‌କୁ ଲାଗିଥିବା ସୀମାରେ ବିବାଦ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ଲିପୁଲେଖ ନିକଟରେ ଭାରତର କେତେକ ନିର୍ମାଣ କାର୍ଯ୍ୟକୁ ଚୀନ୍‌ ବିରୋଧ କରିଛି।

ସମ୍ବନ୍ଧିତ ଖବର