ନୂଆଦିଲ୍ଲୀ: ନୂଆଦିଲ୍ଲୀର ଡା. ରାମ ମନୋହର ଲୋହିଆ(ଆର୍ଏମ୍ଏଲ୍) ହସ୍ପିଟାଲ୍ରେ ଗତ ତିନି ଦିନ ହେଲା କୋଭିଡ୍-୧୯ ଚିହ୍ନଟ ପାଇଁ ଏକ ଅଭିନବ ଦ୍ରୁତ ପରୀକ୍ଷଣ ଚାଲୁ ରହିଛି। ସେଠାରେ ଭାରତୀୟ ଓ ଇସ୍ରାଏଲୀ ବିଶେଷଜ୍ଞମାନଙ୍କ ଦ୍ବାରା ବହୁ ସଂଖ୍ୟକ ରୋଗୀଙ୍କୁ ସାମିଲ କରି ଜାରି ରହିଥିବା ଏହି ପରୀକ୍ଷଣ ସଫଳ ହେଲେ ମାତ୍ର ୩୦ ସେକେଣ୍ଡ୍ରେ ବି ମହାମାରୀ କୋଭିଡ୍ ସଂକ୍ରମଣ ଠଉରେି ହେବ ବୋଲି ଜଣାଯାଇଛି। ଏଥିରେ କୋଭିଡ୍ ଚିହ୍ନଟ ପାଇଁ ଶ୍ବାସକ୍ରିୟା ବିଶ୍ଲେଷକ ଏବଂ କଣ୍ଠସ୍ବର ପରୀକ୍ଷଣ ପରି ୪ ପ୍ରକାରର ବିଶେଷ ପରୀକ୍ଷା ନିରୀକ୍ଷା ରହିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲୀ ରାଷ୍ଟ୍ରଦୂତ ରନ୍ ମାଲ୍କା ଶୁକ୍ରବାର ଏହି ମିଳିତ ପରୀକ୍ଷଣ ସ୍ଥଳ ପରୀକ୍ଷଣ କରି ସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ପରୀକ୍ଷା ନିରୀକ୍ଷା ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଗବେଷଣା ଓ ବିକାଶ ନିର୍ଦ୍ଦେଶାଳୟ, ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍ଡିଓ), ଭାରତୀୟ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ(ସିଏସ୍ଆଇଆର୍) ଦ୍ବାରା ମିଳିତ ଭାବେ ସଂଚାଳିତ ହେଉଛି। ଉକ୍ତ ପରୀକ୍ଷଣର ଫଳପ୍ରଦତା ପ୍ରମାଣିତ ହେଲେ ଭାରତ ଓ ଇସ୍ରାଏଲ ମିଳିତ ଭାବେ ଏହି ଦ୍ରୁତ କୋଭିଡ୍ ପରୀକ୍ଷଣ ସରଞ୍ଜାମ ନିର୍ମାଣ କରି ବିଶ୍ବ ତମାମ ଯୋଗାଇବେ ବୋଲି କୁହାଯାଇଛି। ଦୁଇ ଦେଶର ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଭାରତର ନିର୍ମାଣ ଦକ୍ଷତାକୁ ଭିତ୍ତି କରି ଚାଲିଥିବା ଏହି ପରୀକ୍ଷଣ ବଳରେ କୋଭିଡ୍ ପାଇଁ କୌଣସି ଟିକା ବଜାରକୁ ନ ଆସିବା ଯାଏ ଆମେ ଏହି ଘାତକ କରୋନାଭୂତାଣୁ ସହ ନୂଆ ଜୀବନଯାତ୍ରା ଆରମ୍ଭ କରିପାରିବା ବୋଲି ମାଲ୍କା କହିଛନ୍ତି।