ଶ୍ରୀନଗର : ସୀମାରେ ପାକିସ୍ତାନ ସହ ଯୁଦ୍ଧବିରତି ହୋଇଥିଲେ ମଧ୍ୟ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଚାଲୁ ରହିବ ବୋଲି ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

Advertisment

ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଓ୍ବାଇ.କେ. ଯୋଶୀ କହିଛନ୍ତି ଯେ ସୀମାରେ ଯୁଦ୍ଧବିରତି ସତ୍ତ୍ବେ ଭାରତୀୟ ସେନା ସତର୍କ ରହିଛି  ଓ କଶ୍ମୀରରେ ଚାଲିଥିବା ଆତଙ୍କ ନିରୋଧୀ ଅଭିଯାନକୁ କୌଣସି ମତେ କୋହଳ କରାଯିବ ନାହିଁ ।

ଉଦ୍ଦମପୁରସ୍ଥିତ ଉତ୍ତରାଞ୍ଚଳ କମାଣ୍ଡ ମୁଖ୍ୟାଳୟଠାରେ ଅନୁଷ୍ଠିତ ଏକ ସାମରିକ ସମାରୋହରେ ଯୋଗଦେଇ ସେ କହିଛନ୍ତି ଯେ ୨୦୨୦ ଭାରତୀୟ ସେନା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ଥିଲା। ସେନା ପୂର୍ବ ଲଦାଖରେ ନିଜର ସାହସ, ଯୁଦ୍ଧକୌଶଳ ଓ ଆତ୍ମବିଶ୍ବାସ ଦେଖାଇଥିଲା । ଚୀନ ଓ ପାକିସ୍ତାନର ନାଁ ନନେଇ ସେ କହିଛନ୍ତି ଯେ ସେନା ଭାରତର ଦୁଇ ପଡ଼ୋଶୀଦେଶକୁ ଲାଗିଥିବା ସୀମାରେ ନିଜର ଆଧିପତ୍ୟ ଓ ନିୟନ୍ତ୍ରଣ ବଜାୟ ରଖିଥିଲା ।

ସୂଚନାଯୋଗ୍ୟ ଯେ ଉଭୟ ଭାରତ ଓ ପାକିସ୍ତାନ ଫେବ୍ରୁଆରି ୨୪ ଓ ୨୫ ମଧ୍ୟରାତ୍ରିରୁ ନିୟନ୍ତ୍ରଣ ରେଖା ନିକଟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି । ଏହା ଫଳରେ ଗତ କିଛିବର୍ଷ ଧରି ନିୟନ୍ତ୍ରଣ ରେଖା ନିକଟରେ ଉଭୟପଟୁ ଜାରି ରହିଥିବା ଗୁଳିଗୋଳା ବର୍ଷଣର ଅନ୍ତ ହେବା ଆଶା କରାଯାଉଛି ।